ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୨୮୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ : ଗୁଜୁରାଟ ଉପକୂଳରୁ ପୁଣି ଧରା ପଡ଼ିଛି ବିପୁଳ ପରିମାଣର ଡ୍ରଗ୍ସ । ଏକ ପାକିସ୍ତାନୀ ଡଙ୍ଗାରେ ଆସୁଥିବା ପ୍ରାୟ ୨୮୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୫୬ କିଲୋଗ୍ରାମ ନିଶାଦ୍ରବ୍ୟ ବା ଡ୍ରଗ୍ସ ଜବତ ହୋଇଛି । ଗୁଜୁରାଟର ଆତଙ୍କବାଦ ନିରୋଧୀ ବାହିନୀ ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ ମିଳିତ ଅପରେସନ କରାଯାଇଛି ଏସବୁ ଡ୍ରଗ୍ସ ଜବତ ହୋଇଛି । ଡଙ୍ଗାରେ ଥିବା ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣ ପାକିସ୍ତାନୀ ବୋଲି ଜଣାପଡ଼ିଛି । ଏସବୁ ନିଶାଦ୍ରବ୍ୟ ବା ଡ୍ରଗ୍ସ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତ ଆସୁଥିବା ସଂଦେହ କରାଯାଉଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ଗତ ମେ ୨୬ ତାରିଖ ଦିନ ଗୁଜୁରାଟର ମୁଦ୍ରା ବନ୍ଦରରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ ହୋଇଥିଲା । ଏକ କଣ୍ଟେନରେ ଟାଲକମ ପାଉଡର ରୂପରେ ସେଗୁଡ଼ିକର ଚୋରା ଚାଲାଣ କରାଯାଉଥିବା ବେଳେ ଧରା ପଡ଼ିଥିଲା ।

ଗତ ବର୍ଷ ସେପ୍ଟେମ୍ବର ମାସରେ ଭାରତର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରେ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଚିହ୍ନଟ କରାଯାଇଥିଲା । ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ପାକିସ୍ତାନ ଦେଇ ଆସିଥିବା ଜଣାପଡ଼ିଥିଲା ।

 

ସମ୍ବନ୍ଧିତ ଖବର