ଦାମାସକସ୍: ସିରିଆର ଆତଙ୍କବାଦୀମାନଙ୍କୁ ରକ୍ତ ପିପାସୁ କରିଥିବା ଡ୍ରଗ୍ସ ଏବେ ସୁଦାନରେ ତିଆରି ହେଉଛି। ବିଶ୍ୱରେ ଅନେକ ପ୍ରକାରର ବିପଦପୂର୍ଣ୍ଣ ଡ୍ରଗ୍ସ ଉପଲବ୍ଧ ହେଉଛି। କିନ୍ତୁ କ୍ୟାପ୍ଟାଗନ୍ ହେଉଛି ଗୋଟିଏ ଶସ୍ତା ଏବଂ ପ୍ରଭାବଶାଳୀ ଡ୍ରଗ୍ସ। ଏହା ଯୋଦ୍ଧାମାନଙ୍କ ମଧ୍ୟରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି। ଏହି ଔଷଧ ଥକ୍କାପଣ,ଭୋକ ଏବଂ ନିଦ୍ରାକୁ ଦମନ କରେ। ଏହି କାରଣରୁ ଗତ କିଛି ବର୍ଷ ମଧ୍ୟରେ ସିରିଆ ଏବଂ ଆରବ ଦେଶଗୁଡ଼ିକର ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଉଛି।
ଏବେ ମିଡିଲ ଇଷ୍ଟ ଆଇର ଏକ ରିପୋର୍ଟ ପ୍ରକାଶ କରିଛି ଯେ, ସୁଦାନ କ୍ୟାପ୍ଟାଗନ୍ର ନୂତନ ତିଆରି କେନ୍ଦ୍ର ହେବାକୁ ଯାଉଛି। ନୀଳ ନଦୀ କୂଳରେ ଏକ ନିର୍ଜନ ଶିଳ୍ପାଞ୍ଚଳରେ ଏହି ଡ୍ରଗ୍ସ କାରଖାନା ଆବିଷ୍କୃତ ହୋଇଛି। ସିରିଆରେ ବନ୍ଦ ହେଉଥିବା ନେଟୱାର୍କ ଏବେ ସୁଦାନରେ ପହଞ୍ଚିଛି।
କ୍ୟାପ୍ଟାଗନ୍ ନାମ ସର୍ବଦା ସିରିଆ ସହିତ ଜଡ଼ିତ ଥିଲା। ଗୋଟିଏ ସମୟରେ, ସିରିଆ ଏହି ଡ୍ରଗ୍ସର ଉତ୍ପାଦନ ଏବଂ ଚୋରା ଚାଲାଣର ସବୁଠାରୁ ବଡ଼ କେନ୍ଦ୍ର ଥିଲା। କିନ୍ତୁ ବଶର ଅଲ-ଆସାଦ ସରକାର ଦୁର୍ବଳ ହେବା ଏବଂ ସିରିଆରେ ଥିବା କାରଖାନାଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସେଠାକାର ନେଟୱାର୍କ ଭୁଶୁଡ଼ି ପଡ଼ିଥିଲା। ଅନେକ ଲ୍ୟାବ୍ ବନ୍ଦ ହୋଇ ଯାଇଥିଲା ଏବଂ ବହୁ ପରିମାଣର ଡ୍ରଗ୍ସ ବଟିକା ଜବତ କରାଯାଇଥିଲା। ଏହା ପରେ ଏହି ଡ୍ରଗ୍ସର ବେଆଇନ ବ୍ୟବସାୟ ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜା ଯାଉଥିଲା। ବର୍ତ୍ତମାନ ଏହାର ପେଣ୍ଠସ୍ଥଳ ସୁଦାନ ପାଲଟିଛି।
୨୦୨୩ ମସିହା ଏପ୍ରିଲ ମାସରୁ ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ଆରଏସଏଫ(ରାପିଡ୍ ସପୋର୍ଟ ଫୋର୍ସ) ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ, ସେନା ଖାର୍ତୁମ୍ ବାହାରେ ଅଲ୍-ଜେଲି ତୈଳ ବିଶୋଧନାଗାରକୁ କବଜା କରିଥିଲା। ଫେବ୍ରୁଆରି ମାସରେ ଏଠାରେ ଏକ ବନ୍ଦ କାରଖାନା ଧରାପଡ଼ିଥିଲା। ଯେଉଁଥିରେ ପାଞ୍ଚଟି ବଡ଼ ମେସିନ୍ ଥିଲା। ସେଥି ମଧ୍ୟରୁ ଦୁଇଟି ଟାବଲେଟ୍ ପ୍ରେସ୍ ଏବଂ ମିକ୍ସର୍ ଭାବେ ବ୍ୟବହୃତ ହେଉଥିଲା। ଏହି ମେସିନଗୁଡ଼ିକ ପ୍ରତିଦିନ ପ୍ରାୟ ୧୦୦୦ କ୍ୟାପ୍ଟାଗନ୍ ଟାବଲେଟ୍ ଉତ୍ପାଦନ କରୁଥିଲା।
ମେସିନଗୁଡ଼ିକର ବାକ୍ସଗୁଡ଼ିକ ଦୁବାଇର ଏକ ସିପିଂ କମ୍ପାନି ଦ୍ୱାରା ଲେବଲ କରାଯାଇଥିଲା। କିନ୍ତୁ ଏହାର ଟ୍ରାକ୍ ରେକର୍ଡ ହଜିଯାଇଥିଲା। କାରଖାନା ନିକଟରେ ମିଳିଥିବା ରାସାୟନିକ ପାଉଡ଼ର ବସ୍ତାଗୁଡ଼ିକ ପଶୁ ଖାଦ୍ୟ ସପ୍ଲିମେଣ୍ଟ ଭାବରେ ଲେବଲ କରାଯାଇଥିଲା। ଏହି ପ୍ୟାକେଟଗୁଡ଼ିକ ସିରିଆରେ ତିଆରି ହୋଇଥିଲା। ଏପରିକି କମ୍ପାନିର ଠିକଣା ଦାମାସକସର ସେହି ଅଞ୍ଚଳରେ ଥିଲା ଯେଉଁଠାରେ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଅବସ୍ଥିତ ଥିଲା। ଏସବୁ ସନ୍ଦେହ ସୃଷ୍ଟି କରିଥିଲା ଯେ, ଏହି କଞ୍ଚାମାଲ ସିରିଆରୁ ଆସୁଛି।
ଅଧିକ ପଢ଼ନ୍ତୁ: 'ପ୍ରଳୟ' କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ
ଅତୀତରେ ଆରଏସଏଫ ଉପରେ ଅଭିଯୋଗ ହୋଇଥିଲା ଯେ, ଏହା ଯୋଦ୍ଧାମାନଙ୍କୁ ସତର୍କ ରଖିବା ଏବଂ ଭୋକ ମେଣ୍ଟାଇବା ପାଇଁ କ୍ୟାପ୍ଟାଗନ୍ ଯୋଗାଉଥିଲା। ସ୍ଥାନୀୟ ବଜାରରେ ଆରଏସଏଫ ବଳକା ବଟିକା ବିକ୍ରି କରି ଟଙ୍କା ରୋଜଗାର କରିଥାଏ। ରିପୋର୍ଟ ଅନୁସାରେ,ଏହି ଔଷଧ ଦୁବାଇ ଭଳି ବନ୍ଦର ଦେଇ ଆସିପାରେ, ଯାହା ସିଧାସଳଖ ଲାଲ ସାଗର ଦେଇ ଉପସାଗର ଦେଶଗୁଡ଼ିକ ସହିତ ସଂଯୋଗ ହୋଇଛି। ଏହି କାରଣରୁ ୟୁଏଇ ଏବଂ ଆଇଏସଏଫମଧ୍ୟରେ ପାରସ୍ପରିକ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ରିପୋର୍ଟ ଅନୁଯାୟୀ ସିରିଆର କ୍ୟାପ୍ଟାଗନ୍ ବଜାର ହ୍ରାସ ପାଇବା ପରେ ନିଶାଦ୍ରବ୍ୟ ଚୋରା ଚାଲାଣ ନେଟୱାର୍କଗୁଡ଼ିକ ସୁଦାନ ଆଡକୁ ମୁହାଁଇଛନ୍ତି। ଯଦିଓ ଅଲ-ଜେଲିର କାରଖାନାରେ ଉତ୍ପାଦିତ ସାମଗ୍ରୀ ଉପସାଗରୀୟ ଦେଶଗୁଡ଼ିକରେ ପହଞ୍ଚିଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ତଥାପି ଏନେଇ ସୂଚନା ରହିଛି। ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା, ୩ ଅଟକ
syria | captagon-drug