ଦୋକାନ ଆଗରେ ମଦ ପିଇବାକୁ ମନା କରିବାରୁ ଏପରି କଲେ ମଦ୍ୟପ ବରଯାତ୍ରୀ

ବାନ୍ଦା: ଉତ୍ତରପ୍ରଦେଶରରେ ପ୍ରତିଦିନ ଘଟୁଛି ନୂଆ ନୂଆ ଗୁଣ୍ଡାରାଜ୍। ଚୋରି, ଲୁଟ୍, ଦୁଷ୍କର୍ମ ଆଦି ନାନା ଅପରାଧ ଘଟି ଚାଲିଥିବା ବେଳେ ନିକଟରେ ଘଟିଥିବା ଏକ ଘଟଣା ଗୁଣ୍ଡାରାଜର ଏକ ବିରାଟ ଉଦାହରଣ ପାଲଟିଛି।

ଘଟଣାଟି ବାନ୍ଦାର ସଞ୍ଜୟ ନଗରର। ଜଣେ ଦୋକନି ତାଙ୍କ ଦୋକାନ ଆଗରେ ମଦ ପିଇବାକୁ ମନା କରିବାରୁ ତାଙ୍କ ଦୋକାନକୁ ଜାଳିପୋଡ଼ି ପାଉଁଶ କରି ଦେଇଛନ୍ତି କିଛି ବରଯାତ୍ରୀ ।

ସଞ୍ଜୟ ନଗରରେ ଏକ ବିବାହ ଚାଲିଥିବା ବେଳେ ସେଠାକୁ ଆସିଥିବା କିଛି ବରଯାତ୍ରୀ ମଦ ପିଇ ପାଟିତୁଣ୍ଡ କରିଥିଲେ। ଯେଉଁ ଦୋକାନ ସାମ୍ନାରେ ସେମାନେ ଏପରି କରୁଥିଲେ, ସେହି ଦୋକନି ଜଣଙ୍କ ତାଙ୍କୁ ତାଙ୍କ ଦୋକାନ ଆଗରେ ଏପରି କରିବାକୁ ମନା କରିଥିଲେ। ସେ କହିଥିଲେ ଯେ ତାଙ୍କ ଦୋକାନ ଆଗରେ ମଦ ପିଇବା ମନା।

ଏହି କଥାରେ ରାଗି ଯାଇଥିଲେ ବରଯାତ୍ରୀ। ସେମାନେ ରାଗରେ ପାଟିତୁଣ୍ଡ କରିବା ସହ ଦୋକନି ଓ ତାଙ୍କ ମାଆଙ୍କୁ ମାରଧର୍ କରିଥିଲେ। କେବଳ ସେତିକି ନୁହେଁ, ସେମାନେ ସେହି ଦୋକାନଟିକୁ ବି ରାଗରେ ଆସି ଜାଳି ଦେଇଥିଲେ। ସାମାନ୍ୟ କଥାକୁ ନେଇ ଦୋକନିଙ୍କୁ ଅନେକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ସେମାନେ ଏହି ଘଟଣା ଘଟାଇବା ପରେ ଦୋକାନିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ କେଉଁଆଡ଼େ ଚାଲି ଯାଇଥିଲେ। ପୀଡ଼ିତ ପରିବାର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷପ ନେବାକୁ ଦାବି କରିଛନ୍ତି।

ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କଠାରୁ ଧମକ ପାଇବା ପରେ ପରିବାର ଲୋକ ଅତ୍ୟନ୍ତ ଭୟଭୀତ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର