କ୍ରିମିନାଲ୍‌ ଚାର୍ଜର ସମ୍ମୁଖୀନ ହେବେ ନିଶାସକ୍ତ ଡ୍ରାଇଭର

ନୂଆଦିଲ୍ଲୀ: ଶୀତଦିନେ ଘଟୁଥିବା ସାଙ୍ଘାତିକ ରାସ୍ତା ଦୁର୍ଘଟଣାକୁ କମାଇବା ପାଇଁ ଦିଲ୍ଲୀ ପୁଲିସ ଏକ ଅଭିଯାନ ଆରମ୍ଭ କରିଛି। ଯାଞ୍ଚ୍‌ ସମୟରେ କୌଣସି ଡ୍ରାଇଭର ନିଶା ଖାଇଥିବା ଜଣା ପଡ଼ିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର୍‌ କରାଯିବ। ଏହାସହ ତାଙ୍କ ବିରୋଧରେ ଏକ ଚାଲାଣ ଦିଆଯିବ ଓ ତାଙ୍କ ଲାଇସେନ୍‌ସ୍‌ ରଦ୍ଦ କରାଯିବ।

ଦିଲ୍ଲୀ ପୁଲିସ ଡାଟାରୁ ଜଣାପଡ଼ିଛି, ୨୦୧୬ରୁ ଏ ବର୍ଷ ଭିତରେ ରାସ୍ତା ଦୁର୍ଘଟଣାରେ ୧, ୩୭୩ ଜଣଙ୍କର ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ ଗାଡ଼ି ଚଳାଇଥିବା କାରଣରୁ ୨, ୦୮, ୭୬୫ ଜଣ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି। ଏହି ମୃତ୍ୟୁର ତିନି ଭାଗରୁ ଭାଗେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ଘଟିଛି। ତେଣୁ ପୁଲିସ କମିସନର୍‌ ଅମୂଲ୍ୟ ପଟ୍ଟନାୟକ ନିଶାସକ୍ତ ଡ୍ରାଇଭରମାନଙ୍କୁ ଧରିବା ନିମନ୍ତେ ଅଦେଶ ଦେଇଛନ୍ତି।

ଅଦାଲତକୁ ପଠାଇବା ଛଡ଼ା, ପୁଲିସ ଡ୍ରାଇଭର୍‌ମାନଙ୍କୁ କାଉସେଲିଙ୍ଗ୍‌ ସେସନ୍‌କୁ ଯିବା ପାଇଁ କହିବ। ଧରପଗଡ଼ ଆରମ୍ଭ ହେବା ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବାର ଅସୁବିଧା ବିଷୟରେ ଲୋକମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ କଥା କହିଛନ୍ତି ଟ୍ରାଫିକ୍‌ର ସ୍ପେସାଲ୍‌ କମିସନର ଦେପେନ୍ଦ୍ର ପାଠକ।

ସମ୍ବନ୍ଧିତ ଖବର