କାର୍‌ ଧକ୍କା ଖାଇ ଆହତ ହେଲେ ପତ୍ନୀଙ୍କ ପ୍ରେମ ପରଖିବା ପାଇଁ ଗହଳି ରାସ୍ତାରେ ଠିଆ ହୋଇ ଥିବା ସ୍ୱାମୀ

ନୂଆଦିଲ୍ଲୀ: ପତ୍ନୀଙ୍କ ପ୍ରେମ ପରଖିବା ପାଇଁ ଚୀନ୍‌ର ଜଣେ ବ୍ୟକ୍ତି ରାତି ଅଧରେ ଯାନବାହନ ଚଳାଚଳ କରୁଥିବା ରାସ୍ତା ମଝିରେ ଠିଆ ହୋଇ ଗୋଟାଏ ଦ୍ରୁତଗାମୀ ଭ୍ୟାନ୍‌ ଧକ୍କାରେ ଆହତ ହୋଇଛନ୍ତି।

ଘଟଣାଟି ଘଟିଛି ଚୀନ୍‌ର ଝେଜିଆଙ୍ଗ୍‌ ପ୍ରଦେଶ ଅନ୍ତର୍ଗତ ଲିସୁଇ ରାସ୍ତାରେ। ୪୦ ମିନିଟ୍‌ ଧରି ଚାଲିଥିବା ଏହି ଘଟଣା ରସ୍ତାରେ ଲାଗିଥିବା ଟ୍ରାଫିକ୍‌ କ୍ୟାମେରାରେ ଉତ୍ତୋଳିତ ହୋଇଛି।

ସ୍ୱାମୀଙ୍କ ସାଙ୍ଗିଆ ହେଉଛି ପାନ୍‌ ଏବଂ ପତ୍ନୀଙ୍କ ସାଙ୍ଗିଆ ଝୋଉ। ସେମାନେ ଯୁକ୍ତିତର୍କ କରୁଥିବା ସେ ଭିଡିଓରେ ଦେଖାଯାଉଛି। ମଦ୍ୟପାନ କରିଥିବା ପାନ୍‌ ଯାନବାହନ ଗହଳି ଥିବା ରାସ୍ତା ମଝିକୁ ଯାଇ ଠିଆ ହେଉଛନ୍ତି ଏବଂ ପାଇଜାମା ପରିହିତା ପତ୍ନୀ ତାଙ୍କୁ ଥରକୁ ଥର ରାସ୍ତା କଡ଼କୁ ଟାଣି ଆଣୁଛନ୍ତି; କିନ୍ତୁ କିଛି ସୁଫଳ ମିଳୁନାହିଁ।

ପାନ୍‌ ସ୍ଥାନୀୟ ପୁଲିସକୁ କହିଛନ୍ତି: ମୁଁ ଓ ମୋ ସ୍ତ୍ରୀ ଯୁକ୍ତି କରୁଥିଲୁ, ତେଣୁ ମୁଁ ମଦ ପିଇବାକୁ ବାହାରକୁ ଚାଲି ଯାଇଥିଲି। ଫେରିବା ପରେ ମୁଁ ତାଙ୍କୁ ଡାକିଲି ଓ ଆମେ ପୁଣି କଜିଆ କଲୁ।

ମୁଁ ଜାଣିବାକୁ ଚାହୁଁଥିଲି ସେ ମତେ ଅଟକାଉଛି କି, ନାହିଁ। ମୁଁ ଜାଣିବାକୁ ଚାହୁଁଥିଲି ପ୍ରକୃତରେ ସେ ମତେ ପ୍ରେମ କରେ କି ନାହିଁ। ଯଦି କରୁଥାଏ ମୋତେ ଟାଣି ଧରିବ। ଶେଷକୁ ଗୋଟାଏ କାର୍‌ ମତେ ଧକ୍କା ଦେବାରୁ ମୁଁ ଆହତ ହେଲି।

ସ୍ଥାନୀୟ ପୁଲିସ କହିବା ଅନୁସାରେ, ପାନ୍‌ଙ୍କ ମୁଣ୍ଡରେ ଖୁବ୍‌ ଆଘାତ ଲାଗିଛି। ତାଙ୍କ ଛାତି ପଞ୍ଜରା ବହୁ ସ୍ଥାନରେ ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର