ନୂଆଦିଲ୍ଲୀ: ଆମେରିକାରୁ ଭାରତ ଆସୁଥିବା ଏୟାର୍‌ ଇଣ୍ଡିଆର ଗୋଟାଏ ବିମାନରେ ଜଣେ ନିଶାସକ୍ତ ବ୍ୟକ୍ତି ଜଣେ ବୟୋଜ୍ୟେଷ୍ଠା ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରି କ‌ୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ନ ଥିବା କଥାକୁ ‘ଏୟାର୍‌ ଇଣ୍ଡିଆ’ ସୁନିଶ୍ଚିତ କରିଛି।

Advertisment

ଉକ୍ତ ଅବାଧ୍ୟ ବ୍ୟକ୍ତିଙ୍କୁ ‘ନୋ-ଫ୍ଲାଏ’ ତାଲିକାଭୁକ୍ତ କରାଯିବ ବୋଲି ମଧ୍ୟ ‘ଏୟାର୍‌ ଇଣ୍ଡିଆ’ କହିଛି। ଏହାଛଡ଼ା, ଏଥିରେ ଅବହେଳା କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ‘ଦି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ କହିବା ସହିତ ‘ଏୟାର୍‌ ଇଣ୍ଡିଆ’କୁ ରିପୋର୍ଟ ମାଗିଛି।

publive-image Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ‘ଏୟାର୍‌ ଇଣ୍ଡିଆ’ ବିମାନ ‘ଏଆଇ ୧୦୨’ ଉପରୋକ୍ତ ଘଟଣାଟି ଘଟିଥିଲା। ମଧ୍ୟାହ୍ନ ଭୋଜନ ପରେ ବିମାନର ଲାଇଟ୍‌ ସବୁ ଲିଭାଇ ଦିଆଯିବା ପରେ ନିଶାସକ୍ତ ବ୍ୟକ୍ତିଜଣକ ପୀଡ଼ିତାଙ୍କ ସିଟ୍‌ ନିକଟକୁ ଯାଇଥିଲେ। ସେଠାରେ ସେ ଉକ୍ତ ମହିଳାଙ୍କ ଆଗରେ ପ୍ୟାଣ୍ଟ୍‌ ଜିପର୍‌ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ। ଅନ୍ୟ ସହଯାତ୍ରୀମାନେ ପାଟିତୁଣ୍ଡ ନ କରିବା ପର୍ଯ୍ୟନ୍ତ ସେ ସେମିତି ଅସଂଯତ ଅବସ୍ଥାରେ ଠିଆହୋଇ ରହିଥିଲେ।

ଏଭଳି ପରିସ୍ଥିତିରେ କ୍ୟାବିନ୍‌ କ୍ରୁ’ମାନଙ୍କ ଉଦାସୀନତା କଥା ଉଲ୍ଲେଖ କରି ପୀଡ଼ିତା ମହିଳାଜଣକ ‘ଟାଟା ଗ୍ରୁପ୍‌’ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଅଭିଯୋଗ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଛି। ଅପରାଧୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିମାନର ପରିଚାରକମାନେ (କ୍ରୁ’) ମହିଳାଙ୍କୁ ପୋଷାକ ପାଲଟିବାକୁ ହଳେ ପାଇଜାମ ଓ ଚପଲ ଦେଇଥିଲେ।