ନୂଆଦିଲ୍ଳୀ: ଗତ କିଛି ଦିନ ତଳେ ଦିଲ୍ଲୀର ଅଞ୍ଜଳି ସିଂହଙ୍କ ସହ ଯାହା‌ ଘଟିଥିଲା ଆଜି ଦିଲ୍ଲୀ ମହିଳା କମିସନ(ଡିସିଡବ୍ଲୁ) ମୁଖ୍ୟ ସ୍ବାତୀ ମଲିୱାଲଙ୍କ ସହ ମଧ୍ୟ ଠିକ୍‌ ତାହା ହୋଇଥାନ୍ତା। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ବାତୀ ମଲିୱାଲ ଆଜି ଦିଲ୍ଲୀ ଏମ୍ସ ବାହାରେ ତାଙ୍କ ଟିମ୍‌ ସହ କାର୍ଯ୍ୟରେ ଥିବାବେଳେ ହଠାତ୍‌ ‌ଜଣେ ମଦ୍ୟପ କାର୍‌ ଡ୍ରାଇଭର ଖରାପ୍‌ ଉଦ୍ଦେଶ୍ୟ ରଖି ତାଙ୍କୁ ଗାଡ଼ିରେ ବସିବାପାଇଁ କହିଥିଲା। ସ୍ବାତୀ ମଲିୱାଲ ମନା କରିଥିଲେ। କାର୍‌ ଡ୍ରାଇଭର ଜଣଙ୍କ ଏହାପରେ ସେଠାରୁ ଚାଲିଯାଇଥିଲା କିନ୍ତୁ ସେ ପୁଣିଥରେ ଆସି ସ୍ବାତୀଙ୍କୁ ଗାଡ଼ିରେ ବସିବାପାଇଁ କହିଥିଲା। ଏହାପରେ ସ୍ବାତୀ କାର୍‌ ନିକଟକୁ ଯାଇ ଡ୍ରାଇଭରକୁ ଧରିବାକୁ ‌ଚେଷ୍ଟା କରିଥିଲେ। ଏହି ସମୟରେ ସେ ତାଙ୍କର ଗୋଟିଏ ହାତ କାର୍‌ର ଝରକା କାଚ ବାଟେ ପୂରାଇଥିଲେ। କିନ୍ତୁ ଗାଡ଼ି ଡ୍ରାଇଭର ହଠାତ୍‌ କାଚ ବନ୍ଦ ଆଗକୁ ବଢ଼ିବାରୁ ସ୍ବାତୀ ପ୍ରାୟ ୧୦-୧୫ ମିଟର ପର୍ଯ୍ୟନ୍ତ କାର୍‌ରେ ଘୋଷାଡ଼ି ହୋଇଯାଇଥିଲେ।

Advertisment

ଅଭିଯୁକ୍ତ କାର୍‌ ଡ୍ରାଇଭରର ନାମ ହରିଶ ଚନ୍ଦ୍ର। ସେ ସଙ୍ଗମ ବିହାର ବାସିନ୍ଦା। ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଏକ ଏତଲା ରୁଜୁ ହୋଇଛି। ଉକ୍ତ ଘଟଣା ପରେ ମଲିୱାଲ ଟ୍ବିଟ୍‌ କରି କହିଛନ୍ତି, ‘ଗତରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତି ଯାଞ୍ଚ କରୁଥିଲି। ଜଣେ ମଦ୍ୟପ କାର୍‌ ଡ୍ରାଇଭର ମତେ ଦୁର୍ବ୍ୟବହାର କରିଥିଲା ଏବଂ ମୁଁ ତାକୁ ଧରିବାକୁ ଚେଷ୍ଟା କ‌ଲାବେଳେ ‌ ସେ ମୋ ହାତକୁ କାର୍‌ ଝରକାରେ ଲକ୍‌ କରି ମତେ‌ ଘୋଷାଡ଼ି ନେଇଥିଲା। ଭଗବାନ ମତେ ବଞ୍ଚାଇ ଦେଲେ। ଯଦି ଦିଲ୍ଲୀରେ ମହିଳା କମିସନ ମୁଖ୍ୟ ସୁରକ୍ଷିତ ନୁହନ୍ତି ତେବେ ସ୍ଥିତି କିଭଳି ତାହା ଅନୁମାନ କରାଯାଉ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ କରିଛନ୍ତି। ଏକ ଟ୍ବିଟ୍‌ କରି ସେ କହିଛନ୍ତି, ଗୁଣ୍ଡାମାନଙ୍କ ବିଶ୍ବାସ ଏତେ ବଢ଼ିଯାଇଛି ଯେ ମହିଳା କମିସନ ମୁଖ୍ୟ ମଧ୍ୟ ସୁରକ୍ଷିତ ନୁହନ୍ତି। ସ୍ବାତୀ ମଲିୱାଲ କହିଛନ୍ତି, ଅଞ୍ଜଳିଙ୍କ ସହ ଯାହା ହୋଇଥିଲା ମୋ ସହ ମଧ୍ୟ ଠିକ୍‌ ତାହା ହୋଇଥାନ୍ତା। କିନ୍ତୁ ଭଗବାନ ମତେ ବଞ୍ଚାଇ ଦେଲେ।