ମଦ୍ୟପ ଡ୍ରାଇଭରଙ୍କୁ ଧରିବାକୁ ଧାଇଁଲେ ୬ଟି ପୁଲିସ ଷ୍ଟେସନର କର୍ମଚାରୀ 

ଜୟପୁର: ଜଣେ ମଦ୍ୟପ ଡ୍ରାଇଭରଙ୍କ ପାଇଁ ଝାଳନାଳ ହେଲେ ୬ଟି ପୁଲିସ ଷ୍ଟେସନର କର୍ମଚାରୀ | ଡ୍ରାଇଭରକୁ ଧରିବା ପାଇଁ ପାଖାପାଖି ୧୦୦ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇଲେ ପୁଲିସ କର୍ମଚାରୀ | ଏଭଳି ଏକ ଘଟଣା ରାଜସ୍ଥାନର ପର୍ବତସର ନିକଟରେ ଘଟିଛି | ମିଳିଥିବା ସୂଚନା ମୁତାବକ ପର୍ବତସର ନିକଟରେ ଏକ ଟ୍ରକ ସହିତ ଏକ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ, କଣ୍ଟେନର ଡ୍ରାଇଭର ତାଙ୍କ ଦୁଇ ସାଥୀଙ୍କୁ ଘଟଣାସ୍ଥଳରେ ଛାଡ଼ି କଣ୍ଟେନର ସହିତ ଖସି ପଳାଇଲେ | କଣ୍ଟେନର ଧରି ଖସି ପଳାଇବା ପରେ ପୁଲିସ ସନ୍ଦେହ କରିଥିଲା ​​ଯେ ଗାଡ଼ିରେ ଚୋରା ମଦ କିମ୍ବା ନିଶାଦ୍ରବ୍ୟ ଚାଲାଣ କରାଯାଉଛି | ଏହା ପରେ ପୁଲିସ ରାସ୍ତାରେ ଅଟକାଇବାକୁ ପ୍ରଚେଷ୍ଟା କରିଥିଲା | କିନ୍ତୁ ଡ୍ରାଇଭର ଜଣକ ଅବରୋଧକୁ ଭାଙ୍ଗି ଖସି ପଳାଇଯାଇଥିଲା |

ଏହା ପରେ ପୁଲିସର ସନ୍ଦେହ ଆହୁରି ବଢିଯାଇଥିଲା | ସମଗ୍ର ଜିଲ୍ଲାରେ ଥିବା ୬ଟି ପୁଲିସ ଷ୍ଟେସନର କର୍ମଚାରୀ ବିଭିନ୍ନ ସ୍ଥାନରେ ଅବରୋଧ ଲଗାଇ କଣ୍ଟେନରକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କଣ୍ଟେନର ଡ୍ରାଇଭର ଗାଡି ଅଟକାଇନଥିଲେ | ଶେଷରେ ପୁଲିସ ଲୋସାଲରେ ରାସ୍ତାରେ ଟ୍ରାକର ଟି ରଖି କଣ୍ଟେନର ଅଟକାଇବାକୁ ଚେଷ୍ଟା କରିଥିଲା | ଏହା ପରେ ବି ଡ୍ରାଇଭର ଟ୍ରାକ୍ଟରକୁ ଧକ୍କା କରି ଚାଲିଯାଇଥିଲା | ଶେଷରେ ପୁଲିସ ରାସ୍ତା ମଝିରେ ଆଉ ଏକ କଣ୍ଟେନର ଛିଡା କରାଇଥିଲା |

ସେହିବାଟ ଦେଇ ଯେତେବେଳେ କଣ୍ଟେନରଟି ଆସିଥିଲା, କଣ୍ଟେନର ଟାୟାର ଫାଟି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ | ଗାଡିଟି ଦୁର୍ଘଟଣାର ଶିକାର ହେବା ପରେ ପୁଲିସ ଡ୍ରାଇଭରକୁ ଗିରଫ କରିଥିଲା। ଏହା ପରେ କଣ୍ଟେନରରେ କଣ ଯାଉଥିଲା ତାହା ଯାଞ୍ଚ କରିବାରୁ ପୁଲିସର ହୋସ ଉଡିଯାଇଥିଲା | ଗାଡ଼ିରେ କମ୍ବଳ ଭର୍ତ୍ତି ହୋଇଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା | ପୁଲିସ କହିଛି ଯେ ଡ୍ରାଇଭର ମଦ୍ୟପାନ କରିଥିଲା, ତେଣୁ ଭୟ କରି ପଳାଉଥିଲା । କାଳେ ବାଟରେ ଅଟକିଗଲେ ପୁଲିସ ଗିରଫ କରିବେ ସେଥିପାଇଁ ଫେରାର ହେବାକୁ ଚେଷ୍ଟା କରୁଥିଲା |

ସମ୍ବନ୍ଧିତ ଖବର