ବାହା ହେବା ଖୁସିରେ ବର ପିଇଲା ପେଟେ ମଦ, ନିଶାରେ ପାହିଗଲା ବାହାଘର ସମୟ

ପାଟନା: ନିଜ ବାହାଘରକୁ ନେଇ ବର ଜଣକ ଏତେ ଉତ୍ସାହିତ ଥିଲେ ଯେ ପେଟେ ମଦ ପିଇଲେ, ଆଉ ନିଶା ଏତେ ଚଢ଼ିଗଲା ଯେ ଶେଷରେ ଭାଙ୍ଗିଗଲା ବାହାଘର | ବିହାରର ଭାଗଲପୁରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଭାଗଲପୁର ଜିଲ୍ଲାର ସନ୍ତୋଷ କୁମାର ମଣ୍ଡଳଙ୍କର ବିବାହ ସ୍ଥାନୀୟ ମୀର୍ଜାପୁରର ଜଣେ କନ୍ୟାଙ୍କ ସହ ଠିକ ହୋଇଥିଲା | ତେବେ ବାହାଘର ପୂର୍ବଦିନ ସନ୍ତୋଷ ଏତେ ଉତ୍ସାହିତ ଥିଲେ ଯେ ପେଟେ ମଦ ପିଇଥିଲେ, ଆଉ ମଦ ନିଶା ଏମିତି ଚଢ଼ିଯାଇଥିଲା ଯେ ସେ ବାହାଘର ଦିନ ମଧ୍ୟ ଉଠିନଥିଲେ | ସନ୍ତୋଷଙ୍କ ପରିବାର ଲୋକ ଯେତେ ଚେଷ୍ଟା କରିଥିଲେ ବି ସନ୍ତୋଷଙ୍କ ହୋସ ଫେରିନଥିଲା | ବାହାଘର ଦିନ ସେ କନ୍ୟାଘରକୁ ଯାଇପାରିନଥିଲେ |

ତେବେ କନ୍ୟାଘର ବରଙ୍କ ଏ କାରନାମା ବାବଦରେ ଜାଣିନଥିଲେ, ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ | ଏହା ପରଦିନ ସକାଳୁ ସନ୍ତୋଷଙ୍କ ହୋସ ଫେରିଥିଲା | ଆଉ ନିଜ ପରିବାର ଓ ବରଯାତ୍ରୀଙ୍କ ସହ ସେ ବିବାହ ତିଥି ପରଦିନ କନ୍ୟାଘରେ ପହଞ୍ଚିଥିଲା | ତେବେ କନ୍ୟାଘର ପକ୍ଷରୁ ବରଙ୍କ ମଦ ନିଶା ବାବଦରେ ଜଣାପଡିବା ପରେ ସେମାନେ ବିବାହ ପାଇଁ ମନା କରିଦେଇଥିଲେ | କନ୍ୟା ଜଣକ ସଫା ସଫା ଶୁଣାଇଦେଇଥିଲେ ଯେ ସେ ଅବିବାହିତ ରହିବେ ପଛେ ଏଭଳି ବରକୁ ବିବାହ କରିବେ ନାହିଁ | ତେବେ ଏତିକି ନୁହେଁ କନ୍ୟାପକ୍ଷ ବର ଓ ତାଙ୍କ ପିତାଙ୍କୁ ଅଟକ ରଖିଥିଲେ | ବାହାଘର ପାଇଁ ଯେତିକି ଟଙ୍କା ସେମାନେ ଖର୍ଚ୍ଚ କରିଛନ୍ତି ସେତିକି ଟଙ୍କା ଦେବାକୁ ଦାବି କରିଥିଲେ | ତେବେ ସ୍ଥାନୀୟ ପୁଲିସ ଏବାବଦରେ ଜାଣିବା ପରେ କନ୍ୟା ଘରେ ପହଂଚି ବର ଓ ବରପିତାଙ୍କୁ ଉଦ୍ଧାର କରିଥିଲା |

ସମ୍ବନ୍ଧିତ ଖବର