ରାଞ୍ଚି: ନିଶାସକ୍ତ ଅବସ୍ଥାରେ ଏକ ୧୮ଟିକିଆ ହାତୀପଲକୁ ଚାଲେଞ୍ଜ ଦେଇଥିବା ଜଣେ ୩୦ ବର୍ଷିୟ ଲୋକକୁ ସୋମବାର ରାତିରେ ହାତୀ ଦଳି ମାରି ପକାଇଛି। ଏଥିରେ ଉତ୍ୟକ୍ତ ହୋଇ ମୃତ ଲୋକଜଣକ ରହୁଥିବା ଗାଁ’ର ବାସିନ୍ଦାମାନେ କ୍ଷତିପୂରଣ ଦାବି କରି ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ କରିଥିଲେ।

Advertisment

ପକୁର ଜିଲ୍ଲାର ପକୁରିଆ ଥାନା ଅଞ୍ଚଳରେ ଘଟନାଟି ଘଟିଥିବା କଥା ମଙ୍ଗଳବାର ଦିନ ବନ ବିଭାଗ କର୍ମଚାରୀମାନେ କହିଛନ୍ତି। ମୃତ ଲୋକଟିର ନାଁ ଜୁଲିୟସ୍‌ ହେମ୍ବ୍ରମ୍‌ ଓରଫ୍‌ ମାନେଲ୍‌ ହେମ୍ବ୍ରମ୍‌ ଓ ସେ ଖାକ୍‌ସା ଗାଁ’ର ଲୋକ। ତାଙ୍କ ପତ୍ନୀ ୨୨ ବର୍ଷୀୟ ହୋପୋନମାଈ ମାରାଣ୍ଡିଙ୍କୁ ବନ ବିଭାଗ କର୍ମଚାରୀମାନେ ନଗଦ ୧୦ ହଜାର ଟଙ୍କା ଦେବା ଓ ବାକି ୯୦ ହଜାର ଟଙ୍କା ବ୍ୟାଙ୍କ୍‌ ଖାତାରେ ଜମା ହୋଇଯିବ ବୋଲି ପ୍ରତିଶ୍ରୁତ ଦେବା ପରେ ଅପରାହ୍ଣରେ ରାସ୍ତା ଅବରୋଧ ହଟିଥିଲା।

publive-image

ପକୁରିଆ ଫରେଷ୍ଟ୍‍ ରେଞ୍ଜର୍‌ ଅନୀଲ କୁମାର ସିଂହ କହନ୍ତି: ଦୁମକା ଜିଲ୍ଲାର ଶିକାରୀପଡ଼ା ଅଞ୍ଚଳରୁ ୧୮ଟି ହାତୀ ପକୁରକୁ ଯାଇଥିଲେ। ହାତୀପଲ ସୋମବାର ସନ୍ଧ୍ୟାରେ ପ୍ରଥମେ ତଳଡିହ ଗାଁ’ରେ ପଶିଥିଲେ। ଗାଁ ଲୋକେ ବାଣ ଫୁଟାଇ ହାତୀଙ୍କୁ ହୁରୁଡ଼ାଇ ଦେବାରୁ ସେମାନେ ଖାକ୍‌ସା ଗାଁକୁ ଯାଇଥିଲେ।

ହାତୀପଲ ଆସୁଥିବା ଦେଖି ଖାକ୍‌ସା ଗ୍ରାମବାସୀ ଗୋଟାଏ ଖଳାରେ ଏକତ୍ର ହୋଇ ତାଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ, ହାତୀପଲ ଆକ୍ରମଣ କରିବା ଢଙ୍ଗରେ ଆସୁଥିବା ଦେଖି ସେମାନେ ଛତ୍ରଭଙ୍ଗ ଦେଇଥିଲେ। କେବଳ ନିଶାସକ୍ତ ଅବସ୍ଥାରେ ଥିବା ହେମ୍ବ୍ରମ୍‌ ନ ଯାଇ ସେଠାରେ ଅଟକି ରହିଲେ। ଗାଁ’ ଲୋକଙ୍କ କହିବା ଅନୁସାରେ, ସେ ହାତୀପଲଙ୍କ ସହ ଚାଲେଞ୍ଜ୍‌ କରି ତାଙ୍କ ସହ ଲଢ଼ିବାକୁ ଚେଷ୍ଟା କରିବାରୁ ହାତୀମାନେ ତାକୁ ମାରିପକାଇଲେ।