ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଷ୍ଟେନ୍‌ସିଲ୍‌’ ପ୍ରତିକୃତି ଉପହାର ଦେଲେ ଦୁବାଇରେ ଥିବା ୧୪ ବର୍ଷିୟ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଉପହାର ଦେବା ଲାଗି ଦୁବାଇରେ ଥିବା ଜଣେ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବିଶେଷ ପ୍ରକାରର ପ୍ରତିକୃତି ତିଆରି କରିଛନ୍ତି। ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ଭି ମୁରଲୀଧରନ ସେହି ଚିତ୍ରଟିକୁ ଟୁଇଟ୍‌ କରିବା ସହ ସେ ବିଷୟରେ ବିବରଣୀ ଦେଇଛନ୍ତି।

ଶରଣ ଶଶିକୁମାର ନାମକ କେରଳର ୧୪ ବର୍ଷିୟ ବାଳକ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଛଅ ପରସ୍ତିଆ ଷ୍ଟେନ୍‌ସିଲ୍‌ ପ୍ରତିକୃତି ତିଆରି କରି ଭି ମୁରଲୀଧରନ୍‌ଙ୍କୁ ଦେଇଛନ୍ତି। ମୁରଲୀଧରନ୍‌ ତିନିଦିନିଆ ‘ସଂଯୁକ୍ତ ଆରବ ଏମିରେଟ୍‌’ଗସ୍ତର ଶେଷ ଦିନ ଅର୍ଥାତ୍‌ ଗୁରୁବାର ଦିନ ଶରଣ ଏବଂ ତାଙ୍କ ପିତାମାତାଙ୍କ ଠାରୁ ଏହି କଳାକୃତିଟି ଗ୍ରହଣ କରିଥିଲେ।

Image Courtesy of topmostpopular

ଟୁଇଟ୍‌ କରି ମୁରଲୀଧରନ୍‌ ଲେଖିଛନ୍ତି, ସମ୍ପ୍ରତି ‘ୟୁଏଇ’ରେ ବସବାସ କରୁଥିବା କେରଳର ତରୁଣ ମେଧାବୀ ଚିତ୍ରଶିଳ୍ପୀ ଶରଣ ଶଶି କୁମାରଙ୍କୁ ଦୁବାଇରେ ଭେଟି ଆନନ୍ଦିତ। ସାଧାରଣତନ୍ତ୍ର ଦିବସର ଉପହାର ଭାବେ ସେ ଏହି ସୁନ୍ଦର ଛଅ ପରସ୍ତିଆ ଷ୍ଟେନ୍‌ସିଲ୍‌ କଳା ପ୍ରତିକୃତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପଠାଇଛନ୍ତି। ଏଇଟି ବାସ୍ତବିକ ପ୍ରେରଣାଦାୟୀ! ତାଙ୍କୁ ମୋର ଶୁଭେଚ୍ଛା।

ଛଅଟିସ୍ତରରେ ଛଅଟି ରଙ୍ଗ ଦେଇ ଏହି କଳାକୃତିଟି ସମ୍ପୂର୍ଣ୍ଣ କରିବାକୁ ଶରଣଙ୍କୁ ଛଅ ଘଣ୍ଟା ଲାଗିଥିଲା। ଅଭିନବ କରୋନାଭାଇରସ୍‌ ମହାମାରୀ ସମୟରେ ଶରଣ ଶୀର୍ଷସ୍ତରୀୟ ‘ୟୁଏଇ’ ନେତାଙ୍କ ସମେତ ଏହିଭଳି ୯୨ଟି ପ୍ରତିକୃତି ପ୍ରସ୍ତୁତ କରିଥିଲେ।

ଦୁବାଇସ୍ଥିତ ‘ନିଉ ଇଣ୍ଡିଆନ୍‌ ମଡେଲ୍‌ ସ୍କୁଲ୍‌’ରେ ଶରଣ ଶଶିକୁମାର ୯ମ ଶ୍ରେଣୀରେ ପଢ଼ନ୍ତି। ୨୦୨୦ ଅକ୍ଟୋବରରେ ମଧ୍ୟ ଶରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ୫ ପରସ୍ତିଆ ଷ୍ଟେନ୍‌ସିଲ୍‌ ପ୍ରତିକୃତି ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର