ପଦାକୁ ଆସିଲା ଦୁବେଗ୍ୟାଙ୍ଗ୍‌ ବର୍ବରତା: ମାଓବାଦୀ ଶୈଳୀରେ ଡିଏସ୍‌ପିଙ୍କ ମୁଣ୍ଡ କାଟିଥିଲେ

ଦୁବେକୁ ଥାନାରୁ ଆଗୁଆ ଫୋନ୍ ଯାଇଥିଲା

ଲକ୍ଷ୍ନୌ: କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଲୋକମାନେ ୮ ଜଣ ପୁଲିସ କର୍ମଚାରୀଙ୍କୁ ଅତ୍ୟନ୍ତ ବର୍ବର ଓ ନିଷ୍ଠୁର ଭାବେ ହତ୍ୟା କରିବାର କିଛି ଘଣ୍ଟା ପରେ ଏହାର ରହସ୍ୟ ଉନ୍ମୋଚନ ହୋଇଛି। ପୁଲିସ ଉପରେ ମାଓବାଦୀଙ୍କ ଶୈଳୀରେ ଦୁବେଗ୍ୟାଙ୍ଗ୍ ଆକ୍ରମଣ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ଘଟଣା ପଦାକୁ ଆସିଛି। ଡିଏସ୍‌ପି ପାହ୍ୟାର ଅଧିକାରୀ ତଥା ସର୍କଲ ଅଫିସର ଦେବେନ୍ଦ୍ର ମିଶ୍ରଙ୍କ ମୁଣ୍ଡ ଓ ପାଦ ଆଙ୍ଗୁଠିକୁ ସେମାନେ ଶରୀରରୁ ଅଲଗା କରିଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ଶରୀରକୁ କୁରାଢ଼ିରେ ହାଣି ବିକୃତ କରିଦେଇଥିଲେ। ଉତ୍ତର ପ୍ରଦେଶରେ ମାଫିଆମାନେ ସାଧାରଣତଃ ଏଭଳି ଢଙ୍ଗରେ ପୁଲିସକୁ ଆକ୍ରମଣ କରିନଥାନ୍ତି। ତେଣୁ ଏହି ହତ୍ୟା ଉତ୍ତର ପ୍ରଦେଶ ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଛି।

କେବଳ ସେତିକି ନୁହେଁ, ବିକାଶ ଦୁବେର ସହଯୋଗୀମାନେ ଜଣେ ସବ୍‌-ଇନ୍ସପେକ୍ଟରକୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିବାବେଳେ ଜଣେ କ‌ନଷ୍ଟେବଳକୁ ଏକେ-୪୭ ବନ୍ଧୁକରେ ହତ୍ୟା କରିଛନ୍ତି। ସେମାନେ ପୁଲିସଠାରୁ ଏହି ଅତ୍ୟାଧୁନିକ ବନ୍ଧୁକକୁ ଛଡ଼ାଇ ନେଇ ଏଭଳି ବର୍ବର କାଣ୍ଡ ଭିଆଇଥିଲେ। ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀ, ଫରେନସିକ ବି‌ଶେଷଜ୍ଞ ଏବଂ ଏସ୍‌ଟିଏଫ୍‌ ୟୁନିଟ୍‌ କୁହନ୍ତି, ବିକାଶ ଦୁବେ ଗ୍ୟାଙ୍ଗର ୬୦ ଜଣ ଅପରାଧୀ ଯେଉଁଭଳି ଭାବେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି ତାହା ସାଧାରଣତଃ ଲାଲ୍ କରିଡ‌ରରେ ହୋଇଥାଏ।

ବ୍ୟବଚ୍ଛେଦ ସମୟରେ ଡାକ୍ତରମାନେ ସବ୍-ଇନ୍ସପେକ୍ଟର ଅନୁପ ସିଂହ ଓ ଶିବରାଜପୁର ଷ୍ଟେସନ ଅଫିସର ମହେଶ ଯାଦବଙ୍କ ଶରୀରରୁ ୭ଟି ଗୁଳି ବାହାର କରିଥିଲେ। ସେମାନଙ୍କ ମୁହଁ, ଛାତି ଓ କାନ୍ଧରେ ଏହି ଗୁଳିଗୁଡ଼ିକ ଥିଲା। କନଷ୍ଟେବଳ ଜିତେନ୍ଦ୍ର ପାଲଙ୍କ ଶରୀରକୁ ଏକେ-୪୭ ବନ୍ଧୁକରେ ଖିନଭିନ୍ କରି ଦିଆଯାଇଛି। କନଷ୍ଟେବଳ ରାହୁଲ, ବବ୍‌ଲୁ ଓ ସୁଲ୍‌ତାନ ପଏଣ୍ଟ ୩୧୫ ବୋର୍‌ ରାଇଫଲ୍‌ରୁ ଗୁଳି ଚଳାଯାଇ ହତ୍ୟା କରାଯାଇଛି। ପୁଲିସ ଟିମ୍‌କୁ ଅଟକାଇବା ପାଇଁ ଦୁବେ ତା ଘର ଛାତ ଉପରେ ବନ୍ଧୁକଧାରୀ ବ୍ୟକ୍ତିମାନଙ୍କୁ ମୁତୟନ କରିଥିଲା। ଦୁବେକୁ ଧରିବା ପାଇଁ ୩୦ ଜଣ ପୁଲିସ ଯାଇଥିବାବେଳେ ଦୁବେ ଗ୍ୟାଙ୍ଗର ୬୦ ଜଣ ଆକ୍ରମଣ କରିଥିଲେ । ତେବେ ଦୁବେକୁ ଧରିବା ପାଇଁ ପୁଲିସ ଯାଉଥିବା ସଂପର୍କରେ ଥାନାରୁ ଆଗୁଆ ଫୋନ୍ ତାହା ନିକଟକୁ ଯାଇଥିଲା। ପୁଲିସକୁ ଏ ନେଇ ପକ୍କା ପ୍ରମାଣ ମିଳିଥିବା କୁହାଯାଉଛି। ପୁଲିସ ମଧ୍ୟ ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର