କାନପୁର: ଦୁର୍ଦ୍ଦାନ୍ତ ଅପରାଧୀ ତଥା କାନପୁର ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ୍ ବିକାଶ ଦୁବେ ଆଜି ପୁଲିସ ଗୁଳିରେ ନିପାତ ହେବା ସହ ତା'ର ସମ୍ପୂର୍ଣ୍ଣ ଗ୍ୟାଙ୍ଗ୍ ମଧ୍ୟ ମୂଳପୋଛ ହୋଇଯାଇଛି। ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରି ଦେଶରେ ହଇଚଇ ସୃଷ୍ଟି କରିଥିବା ଦୁବେକୁ ଗତକାଲି ସକାଳେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଥିଲା। ଏହି କୁଖ୍ୟାତ ଅପରାଧୀ ସପ୍ତାହେ ହେଲା ବିଭିନ୍ନ ରାଜ୍ୟର ପୁଲିସକୁ ଚକ୍ମା ଦେଇ ଚାଲିଥିଲା। ଗତ ୨- ୩ ତାରିଖ ରାତିରେ କାନପୁର ଜିଲ୍ଲାର ବିକ୍ରୁ ଗ୍ରାମରେ ଦୁବେ ଗ୍ୟାଙ୍ଗ୍ର ଗୁଳିବର୍ଷା ଯୋଗୁଁ ୮ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଦୁବେ ଗ୍ୟାଙ୍ଗ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ୍ ଗଠନ ହୋଇଥିଲା। ଦୁବେର ୫ ଜଣ ଘନିଷ୍ଠ ସହଯୋଗୀ ପୃଥକ୍ ଏନ୍କାଉଣ୍ଟରରେ ନିପାତ ହୋଇଥିବା ବେଳେ ଆଉ ୨ ଜଣଙ୍କୁ ପୁଲିସ ଗିରଫ କରିଛି।
ଗତକାଲି ଦୁବେର ଅନ୍ୟତମ ସହଯୋଗୀ ପ୍ରେମ ପ୍ରକାଶ ପାଣ୍ଡେ ଏବଂ ଅତୁଲ ଦୁବେକୁ ପୁଲିସ ଏନ୍କାଉଣ୍ଟରରେ ନିପାତ କରିଥିଲା। ଦୁବେର ଅପରାଧ ନେଟୱର୍କ୍ ସଞ୍ଚାଳନ କରୁଥିବା ଅମର ଦୁବେ ଗତ ବୁଧବାର ପୁଲିସ ଏନ୍କାଉଣ୍ଟରରେ ନିହତ ହୋଇଥିଲା। ଅନ୍ୟ ଏକ ଏନ୍କାଉଣ୍ଟରରେ ପ୍ରଭାତ ମିଶ୍ରା ଏବଂ ବାଉନ ଦୁବେ ଇଟାୱାରେ ନିହତ ହୋଇଥିଲେ। କାନପୁର ଗୁଳିକାଣ୍ଡ ମାମଲାରେ ଅନେକ ପୁଲିସ କର୍ମୀଙ୍କ କାର୍ଯ୍ୟ ମଧ୍ୟ ସନ୍ଦେହ ଘେରକୁ ଆସିଛି। ୨ ଜଣ ସବଇନ୍ସପେକ୍ଟରଙ୍କ ସମେତ ୧୨ ଜଣଙ୍କୁ ପୁଲିସ ଏହି ମାମଲାରେ ଗିରଫ କରିଛି। ଆଜି ମଧ୍ୟ ବିକ୍ରୁ ଗ୍ରାମରେ ଚଢ଼ଉ କରି ପୁଲିସ କେତେକ ଦେଶୀ ବୋମା ଜବତ କରିଛି। ତେବେ ଦୁବେର ଅପରାଧ ନେଟ୍ୱର୍କ ଚଳାଇଥିବା ସମସ୍ତ ପ୍ରମୁଖ ସଦସ୍ୟ ଏବେ ନିପାତ କିମ୍ବା ଗିରଫ ହୋଇଥିବାରୁ କାନପୁର ଜିଲ୍ଲାବାସୀ ଆାଶ୍ବସ୍ତ ହୋଇଛନ୍ତି। ବିକାଶ ଦୁବେର ପତ୍ନୀ ରିଚା ଦୁବେ ଆଜି ପୁଲିସର ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ଏବଂ ଏଭଳି ଏନ୍କାଉଣ୍ଟର ହିଁ ଆବଶ୍ୟକ ଥିଲା ବୋଲି କହିଛନ୍ତି।
ଏନ୍କାଉଣ୍ଟର ନେଇ ୫ଟି ବଡ଼ ପ୍ରଶ୍ନ
କାନପୁର: କାନପୁରଠାରୁ ୩୦ କିମି ଦୂରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଆଜି ସକାଳେ ପୁଲିସ ଏନ୍କାଉଣ୍ଟରରେ ନିହତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଶୁକ୍ରବାର ଦିନ କାନପୁର ଗୁଳିକାଣ୍ଡରେ ୮ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ପରଠାରୁ ବିକାଶ ଦୁବେ ଫେରାର୍ ଥିଲା। ଗତକାଲି ଉଜ୍ଜୟିନୀରେ ଗିରଫ ହେବାପରେ ତାକୁ ଆଜି କାନପୁରକୁ ଯେଉଁ କାର୍ରେ ଅଣାଯାଉଥିଲା କେବଳ ସେହି କାର୍ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ଏହାର ଆଗରେ ଓ ପଛରେ ଥିବା ଅନ୍ୟ ୨ଟି କାର୍ ସୁରକ୍ଷିତ ରହିଛି। ରାସ୍ତାରେ ବିକାଶ ଦୁବେକୁ ଅନ୍ୟ ଏକ କାର୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେହି କାର୍ ହିଁ ଦୁର୍ଘଟଣାର ସମ୍ମୁଖୀନ ହେଲା। ଦୁବେର ଗାଡ଼ି କାହିଁକି ବଦଳା ଯାଇଥିଲା ବୋଲି ଏବେ ପ୍ରଶ୍ନ ହେଉଛି। ଦ୍ବିତୀୟ ପ୍ରଶ୍ନ ହେଉଛି ଗଣମାଧ୍ୟମକୁ ପୁଲିସ ବାହିନୀ ପଛରେ ଆସିବାକୁ ବାରଣ କରାଗଲା କାହିଁକି। ପୁଲିସ ଗଣମାଧ୍ୟମକୁ ରାସ୍ତାରେ ହଠାତ୍ ଅଟକାଇଥିଲା ଏବଂ ପଛରେ ନଆସିବାକୁ କହିଥିଲା। ଦୁର୍ଘଟଣା ସ୍ଥଳଠାରୁ ୨ କିମି ଦୁରରେ ଗଣମାଧ୍ୟମକୁ ବାରଣ କରାଯାଇଥିଲା। ସେହିପରି ୬୦ଟି ସଂଗୀନ ଅପରାଧ ମାମଲାର ଅଭିଯୁକ୍ତ ବିକାଶ ଦୁବେକୁ କାହିଁକି ହାତକଡ଼ା ପକାଯାଇନଥିଲା ବୋଲି ପ୍ରଶ୍ନ ଉଠିଛି। ପୁଲିସ କହୁଛି ଯେ ଗାଡ଼ି ଓଲଟିବା ମାତ୍ରେ ବିକାଶ ଦୁବେ ପିସ୍ତଲ ଛଡ଼ାଇ ଗୁଳିମାଡ଼ ଆରମ୍ଭ କରିଥିଲା। ତେବେ ଏତେବଡ଼ ଅପରାଧୀକୁ ବିନା ହାତକଡ଼ାରେ ପୁଲିସ କିଭଳି ନେଉଥିଲା ତାହାର କୌଣସି ସ୍ପଷ୍ଟ ଉତ୍ତର ନାହିଁ। ଆଉ ଏକ ବଡ଼ ପ୍ରଶ୍ନ ହେଉଛି, ଯେଉଁଠି ଦୁର୍ଘଟଣା ଘଟିଛି ସେଠାରେ ରାସ୍ତା ଆଦୌ ଖରାପ୍ ନଥିଲା। କିମ୍ବା ଅନ୍ୟ କୌଣସି ପ୍ରତିବନ୍ଧକ ନଥିଲା। ଅଚାନକ ଗାଡ଼ି ରାସ୍ତା ପାର୍ଶ୍ବକୁ କିଭଳି ଓଲଟିଲା ସେନେଇ ମଧ୍ୟ ପୁଲିସ ସ୍ପଷ୍ଟ ଉତ୍ତର ରଖିନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀ ଗାଡ଼ି ଓଲଟିବା ଦେଖି ସହାୟତା କରିବାକୁ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ପୁଲିସ ତୁରନ୍ତ ଦୁର୍ଘଟଣା ସ୍ଥଳ ଛାଡ଼ି ଚାଲିଯିବାକୁ କାହିଁକି କହିଥିଲା ବୋଲି ପ୍ରଶ୍ନ ଉଠିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ: ଆମେ ଗୁଳି ଶବ୍ଦ ଶୁଣିଲୁ, ପୁଲିସ ଆମକୁ ଘଉଡ଼ାଇଲା
କାନପୁର: ଉଜ୍ଜୟିନୀରୁ କାନପୁର ଅଣାଯାଉଥିବା ବେଳେ ରାସ୍ତାରେ ଯେଉଁଠି ୟୁପିର କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହେଲା ସେ ସଂପର୍କରେ କେତେକ ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କ ବୟାନ ରଖିଛନ୍ତି। ଏକ ସଡ଼କ ଦୁର୍ଘଟଣା ପରେ ଦୁବେ ଫେରାର ହେବାକୁ ଉଦ୍ୟମ କରି ପୁଲିସ ଗୁଳିରେ ନିପାତ ହୋଇଥିବା ପୁଲିସ କହିଛନ୍ତି। ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଆଶିଷ ପାଶ୍ବାନ୍ କହିଛନ୍ତି, 'ଆମେ ରାସ୍ତାରେ ଯାଉଥିବାବେଳେ ହଠାତ୍ ଗୁଳିଶବ୍ଦ ଶୁଣିଲୁ। ତେବେ ଆମେ ଘଟଣାସ୍ଥଳର ନିକଟତର ହେବାରୁ ତୁରନ୍ତ ପୁଲିସ ଆମକୁ ସେଠାରୁ ଘଉଡ଼ାଇଥିଲା। ରାସ୍ତା କଡ଼ରେ ଏକ କାର୍ ଓଲଟିପଡ଼ିଥିଲା। ଦୁର୍ଘଟଣା ନ ହୋଇଥିଲେ ଆଉ ମାତ୍ର ଘଣ୍ଟାଏ ପରେ ବିକାଶ ଦୁବେ କାନପୁରରେ ପହଞ୍ଚିଥାନ୍ତା ବୋଲି ସେ କହିଛନ୍ତି।