୧୦ ଘଣ୍ଟା ବିଳମ୍ବରେ ପହଞ୍ଚିଲା ହୀରାକୁଦ ଏକ୍ସପ୍ରେସ, ଯାତ୍ରୀଙ୍କୁ ମିଳିବ ୨୨ ହଜାର ଟଙ୍କା କ୍ଷତିପୂରଣ

ଚଣ୍ଡୀଗଡ଼: ହୀନସ୍ତା କଲା ହୀରାକୁଦ ଏକ୍ସପ୍ରେସ | ଆଉ ଜଣେ ବରିଷ୍ଠ ନାଗରିକଙ୍କୁ ହଇରାଣ କରିଥିବାରୁ ଏବେ ରେଳବାଇକୁ ଦେବାକୁ ପଡିବ ୨୨ ହଜାର ଟଙ୍କାର କ୍ଷତିପୂରଣ | ପଞ୍ଜାବର ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଉତ୍ତର ରେଲୱେକୁ ଜଣେ ବରିଷ୍ଠ ନାଗରିକଙ୍କୁ ୨୨,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ ଟ୍ରେନ୍ ବିଳମ୍ବ ହେତୁ ଜଣେ ୬୪ ବର୍ଷୀୟ ଯାତ୍ରୀଙ୍କୁ ଷ୍ଟେସନରେ ୧୦ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା | ଆଉ ବରିଷ୍ଠ ନାଗରିକଙ୍କୁ ଏହି କ୍ଷତିପୂରଣ ମିଳିବ | ସୂଚନା ମୁତାବକ ଅମୃତସରର ସୁଜିନ୍ଦର ସିଂ (୬୪) ଦୁଇଟି ଅନ୍ଲାଇନ୍ ଟିକେଟ୍ ବୁକ୍ କରିଥିଲେ | ଅମୃତସରରୁ ଦିଲ୍ଲୀ ଯିବାକୁ ୧ ଅଗଷ୍ଟ ୨୦୧୮ ଏବଂ ୩ ଅଗଷ୍ଟ ୨୦୧୮ରେ ଅମୃତସର ପହଞ୍ଚିବା ପାଇଁ ନୂଆଦିଲ୍ଲୀରୁ ତିନିଟି ସ୍ଲିପର ସିଟ୍ ବୁକ୍ କରିଥିଲେ।

ସୁଜିନ୍ଦର ଅମୃତସରରୁ ବିଶାଖାପାଟନମ୍ ଅଭିମୁଖେ ଯାଉଥିବା ହୀରାକୁଦ ଏକ୍ସପ୍ରେସରେ ରାତି ୧୧.୪୫ରେ ଯିବାର ଥିଲା। ସେ କହିଛନ୍ତି ଯେ ରାତି ୧୧ଟାରେ ରେଳ ଷ୍ଟେସନରେ ପହଞ୍ଚିଥିଲେ। ତେବେ ରାତି ପ୍ରାୟ ୧୧.୩୦ ସମୟରେ ରେଳ ଅଧିକାରୀ ଘୋଷଣା କରିଥିଲେ ଯେ ସକାଳ ୫ଟାରେ ଟ୍ରେନ ଅମୃତସର ଛାଡିବ | ଏହା ପରେ ସୁଜିନ୍ଦର ଷ୍ଟେସନରେ ଅପେକ୍ଷା କରିଥିଲେ | ସକାଳ ୫ଟା ପୂର୍ବରୁ ପୁଣି ଘୋଷଣା ହୋଇଥିଲା ଯେ ସକାଳ ୧୦ଟା ୩୦ରେ ଟ୍ରେନ ଅମୃତସର ଷ୍ଟେସନରେ ପହଞ୍ଚିବ | ଏହା ପରେ ସେ ଷ୍ଟେସନରେ ହିଁ ଅପେକ୍ଷା କରିଥିଲେ ଓ ସକାଳ ୧୦ଟା ୩୦ରେ ଟ୍ରେନରେ ଚଢ଼ିଥିଲେ | ସୁଜିନ୍ଦର ସିଂ ଆୟୋଗଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ତାଙ୍କର ଛାତିରେ ସଂକ୍ରମଣ, ଡାଏବେଟିସ ଏବଂ ନିମ୍ନ ରକ୍ତଚାପ ଥିବାରୁ ଡାକ୍ତରୀ ଯାଞ୍ଚ ପାଇଁ ସେ ଦିଲ୍ଲୀ ଯିବାକୁ ଟିକେଟ କରିଥିଲେ |

କିନ୍ତୁ ଅମୃତସରରୁ ପ୍ରାୟ ୧୧ ଘଣ୍ଟା ବିଳମ୍ବରେ ବାହାରିଥିବାରୁ ଟ୍ରେନଟି ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦିନ ୧.୧୫ରେ ପହଞ୍ଚିଥିଲା | କିନ୍ତୁ ସେତେବେଳକୁ ଏମ୍ସର ଓପିଡି ବନ୍ଦ ହୋଇଯାଇଥିଲା | ଏମ୍ସ ଓପିଡି ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିଥିଲା। ଟ୍ରେନ ବିଳମ୍ବରେ ପହଞ୍ଚିବା ହେତୁ ସେ ଡାକ୍ତରୀ ଯାଞ୍ଚ କରିପାରିନଥିଲେ | ଏନେଇ ସେ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ | ଆୟୋଗ ରେଳ କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ହିସାବରେ ୨୦,୦୦୦ ଟଙ୍କା ଏବଂ ମୋକଦ୍ଦମା ମୂଲ୍ୟ ହିସାବରେ ୨,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର