ଆଧାରକାର୍ଡ଼ରେ ନାମ ଭୁଲ ଥିବାରୁ ୭୦ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ଆସିପାରିଲାନି ପିଏମ-କିସାନ ଯୋଜନା ଟଙ୍କା

ନୂଆଦିଲ୍ଲୀ: ଆଧାର କାର୍ଡରେ ଥିବା ନାମରେ ଗୋଟିଏ ମାତ୍ର ବନାନ ଭୁଲ ଯୋଗୁଁ ପ୍ରଭାବିତ ହୋଇଛନ୍ତି ୭୦ ଲକ୍ଷ ଚାଷୀ | କଥାଟି ଅବାସ୍ତବ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | ଆଧାର କାର୍ଡରେ ଥିବା ତ୍ରୁଟି ଯୋଗୁଁ ପ୍ରାୟ ୪୨୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ଦେଶର ପ୍ରାୟ ୭୦ ଲକ୍ଷ କୃଷକ | କଥାଟି କିଛି ଏହିପରି | ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସରକାର କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥାନ୍ତି | ଏଥିପାଇଁ ଜଣେ କୃଷକଙ୍କୁ ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ଼ ଦାଖଲ କରିବାକୁ ପଡେ | ଉଭୟ ଦସ୍ତାବିଜରେ ନାମ ସଠିକ ଥିଲେ ହିଁ ଆକାଉଣ୍ଟକୁ ଟଙ୍କା ଆସିଥାଏ |

Image Source: The Hindu

କିନ୍ତୁ ଦେଶର ଲକ୍ଷାଧିକ କୃଷକ ଏହି ଟଙ୍କା ପାଉନାହାଁନ୍ତି | କାରଣ ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଦଲିଲରେ ନାମର ବନାନ ଭିନ୍ନ ଥିବାରୁ ସ୍କିମର ସ୍ୱୟଂଚାଳିତ ସିଷ୍ଟମ୍ ଏହାକୁ ପାସ ବା ପାରିତ କରେ ନାହିଁ | ପିଏମ କିସାନ ସ୍କିମର ସିଇଓ ବିବେକ ଅଗ୍ରୱାଲ କହିଛନ୍ତି ଯେ ‘ଏହିପରି ଭୁଲ ଦସ୍ତାବିଜ ଦାଖଲ କରିଥିବା କୃଷକଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ ହୋଇଥିବାବେଳେ ପ୍ରାୟ ୬୦ ଲକ୍ଷ କୃଷକଙ୍କ ଆଧାର କାର୍ଡରେ ନାମର ବନାନରେ ତ୍ରୁଟି ରହିଛି |

ଏହି ସ୍କିମ୍ ପାଇଁ ଆବେଦନ କରିବା ସତ୍ତ୍ୱେ ସାରା ଦେଶରେ ପ୍ରାୟ ୧.୩ କୋଟି ଚାଷୀ ବାର୍ଷିକ ୬୦୦୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଦେଶର ଅନେକ ଜିଲ୍ଲା ଅଛି ଯେଉଁଠାରେ ଅନେକ କୃଷକଙ୍କ ତଥ୍ୟ ଯାଞ୍ଚ ପାଇଁ ବିଚାରାଧୀନ ଅଛି | ଯେତେବେଳେ ରାଜ୍ୟ ସରକାର ଚାଷୀଙ୍କ ତଥ୍ୟ ଯାଞ୍ଚ କରି ଏହାକୁ କେନ୍ଦ୍ରକୁ ପଠାନ୍ତି, ସେତେବେଳେ ଚାଷୀ ଟଙ୍କା ପାଇଥାଏ।

ସମ୍ବନ୍ଧିତ ଖବର