ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନଭେମ୍ବର ୧୪ ଏବଂ ନଭେମ୍ବର ୨୮ ନିର୍ଦ୍ଦେଶକୁ ଉଲ୍ଲଂଘନ ଗତକାଲି (୧୨ ଡିସେମ୍ବର) ଓକିଲମାନଙ୍କ ସତ୍ୟାଗ୍ରହ ଯୋଗୁ ଓଡ଼ିଶାର ୨୬ଟି ଜିଲ୍ଲାରେ କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଥିଲା। ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ଭୁବନେଶ୍ବର ବାର୍ ଆସୋସିଏସନ୍ ପକ୍ଷରୁ ଏହି ସତ୍ୟାଗ୍ରହ ଡକରା ଦିଆଯାଇଥିଲା। ଗତ ଡିସେମ୍ବର ୪ରେ ଏଥି ପାଇଁ ଏକ ବୈଠକ ଆହୂତ ହୋଇଥିଲା ଓ ବୈଠକରେ ଆକ୍ସନ କମିଟି ଗଠିତ ହୋଇଥିଲା। ଆଜି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସାନି ସତ୍ୟପାଠରେ ଏହା କୁହାଯାଇଛ।
ଡିସେମ୍ବର ୧୨ରେ ସତ୍ୟାଗ୍ରହ
ସୁପ୍ରିମକୋର୍ଟରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ସାନି ସତ୍ୟପାଠ
ସତ୍ୟପାଠରେ କୁହାଯାଇଛି, ୨୬ଟି ଜିଲ୍ଲାର ଅଧିକାଂଶ ବାର୍ କୋର୍ଟ କାର୍ଯ୍ୟରେ ଯୋଗ ଦେଇନଥିଲେ। କିଛି ବାର୍ ଆସୋସିଏସନ୍ ପିକେଟିଂ କରିଥିଲେ ଓ ବିଚାର ବିଭାଗୀୟ ଅଧିକାରୀ, ଷ୍ଟାଫ୍ ଓ ବାଦୀମାନଙ୍କୁ ଅଦାଲତ ପରିସରକୁ ପ୍ରବେଶ କରାଇ ଦେଇନଥିଲ। କିଛି ସ୍ଥାନରେ ଆନ୍ଦୋଳନକାରୀ କୋର୍ଟ ଫାଟକ ବନ୍ଦ କରିଦେଇଥିଲେ। ଗତକାଲି ଯେଉଁ ସବୁ ବାର୍ ଆସୋସିଏସନ୍ ବିଚାର ବିଭାଗୀୟ ଅଧିକରୀ, କର୍ମଚାରୀ, ବାଦୀ ଓ ଅନ୍ୟ କୋର୍ଟ ଅଂଶୀଦାରମାନଙ୍କୁ ବାଧା ଦେଇଥିଲେ ସେମାନଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ସତ୍ୟପାଠରେ ସଂଲଗ୍ନ କରାଯାଇଛି। ସମ୍ବଲପୁର ବାର୍ ଆଇନଜୀବୀଙ୍କ ହିଂସାତ୍ମକ କାର୍ଯ୍ୟ ଯୋଗୁ କୋର୍ଟ ଭିତରେ ଓ ବାହାରେ ଯେଉଁ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିଲା ସେ ସଂପର୍କରେ ଆଡଭୋକେଟ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ସମ୍ବଲପୁର ଘଟଣାରେ ତିନିଟି ଏଫ୍ଆଇଆର୍ ରୁଜୁ ହୋଇଛି। ସମ୍ବଲପୁର ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଶୋଭନ କାନୁନ୍ଗୋଙ୍କ ଦ୍ବାରା ଦୁଇଟି ଓ ସମ୍ବଲପୁର ଆଇଆଇସି ପି.କେ କର୍ଣ୍ଣଙ୍କ ଦ୍ବାରା ଗୋଟିଏ ଏତଲା ଦିଆଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।