ନୂଆଦିଲ୍ଲୀ: ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି, ‘ଆମେ ଭାରତ ସହ ୩ଟି ଯୁଦ୍ଧ ଲଢ଼ିଛୁ ଏବଂ ଏହା କେବଳ ଦୁଃଖ, ଦାରିଦ୍ର୍ୟ ଏବଂ ବେକାରୀ ସୃଷ୍ଟି କରିଛି। ଆମେ ଏହି ଯୁଦ୍ଧରୁ ଶିକ୍ଷା ପାଇସାରିଛୁ ଏବଂ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଛୁ।’ ଦୁବାଇର ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିବାର ୨୪ ଘଣ୍ଟା ଯାଇନି, ତାଙ୍କର ଅଫିସ ପକ୍ଷରୁ ଓଲଟା ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ହେଉଛି ମୁଖ୍ୟ ପ୍ରସଙ୍ଗ। କଶ୍ମୀରରୁ ହଟାଯାଇଥିବା ୩୭୦ ଧାରା ପୁଣି ଲାଗୁ ନହେବା ପର୍ଯ୍ୟନ୍ତ ଆଲୋଚନା କରାଯିବାର ପ୍ରଶ୍ନ ଉଠୁନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପାଇଁ ବ୍ୟାକୁଳ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ୨୪ ଘଣ୍ଟା ଭିତରେ ପଟଲିଯିବା ଘଟଣା କୂଟନୈତିକ ମହଲରେ ବିସ୍ମୟ ସୃଷ୍ଟି କରିଛି। କାହା ଚାପରେ ସେ ତାଙ୍କ ବୟାନ ବଦଳାଇଲେ? କଠୋରପନ୍ଥୀ ସଂଗଠନ ଚାପ ପକାଇଲେ ନା ସେନା ତାଙ୍କୁ ବାଧ୍ୟ କଲା? ଏହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପାକିସ୍ତାନର ରାଜନୈତିକ ନେତୃତ୍ବ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ କେତେ ଅସହାୟ, ତାହା ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି।
ସୂଚନାଯୋଗ୍ୟ ଯେ ଦୁବାଇର ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ସରିଫ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଷ୍ଠାପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଆଲୋଚନା କରିବାକୁ ଆଗ୍ରହୀ। କାଶ୍ମୀର ପ୍ରସଙ୍ଗ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇପାରିବ। ‘ଆମେ ଭାରତ ସହ ୩ଟି ଯୁଦ୍ଧ ଲଢ଼ିଛୁ ଏବଂ ଏହା କେବଳ ଦୁଃଖ, ଦାରିଦ୍ର୍ୟ ଏବଂ ବେକାରୀ ସୃଷ୍ଟି କରିଛି।’ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆଲୋଚନା ହେଉଛି ଏକମାତ୍ର ବାଟ। ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାରେ ୟୁଏଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତ ସହ ଆମେ କଥାବାର୍ତ୍ତା ଚାହୁଛୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହା ମୋର ବାର୍ତ୍ତା। ଏଦିଗରେ ଆମକୁ ସହାୟତା କରିବା ଲାଗି ମୁଁ ୟୁଏଇ ରାଷ୍ଟ୍ରପତି ସେଖ୍ ମହମ୍ମଦ ବିନ୍ ଜୟଦଙ୍କୁ ଅନୁରୋଧ କରିଛି। ଦୁଇ ରାଷ୍ଟ୍ରକୁ କଥାବାର୍ତ୍ତା ପାଇଁ ଏକାଠି କରିବାରେ ସେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ।
ସରିଫ ଆହୁରି କହିଥିଲେ, ଭାରତ ଆମ ପଡ଼ୋଶୀ ରାଷ୍ଟ୍ର। ଆମେ ଶାନ୍ତିରେ ରହିବା କି ପରସ୍ପର ମଧ୍ୟରେ ଝଗଡ଼ା କରି ସମୟ ଏବଂ ସମ୍ବଳ ନଷ୍ଟ କରିବା ତାହା ଆମ ଉପରେ ନିର୍ଭର କରୁଛି। କାଶ୍ମୀରରେ ଯାହା ହେଉଛି ତାହା ବନ୍ଦ ହେବା ଉଚିତ। ବୋମା ଏବଂ ଗୋଳାବାରୁଦରେ ପାକିସ୍ତାନ ଆଦୌ ଏହାର ସମ୍ବଳ ନଷ୍ଟ କରିବାକୁ ଚାହେନା। ସରିଫଙ୍କର ଏଭଳି ବୟାନକୁ ନେଇ ଆଜି ଦିନ ତମାମ ଆଲୋଚନା ଚାଲିଥିବା ବେଳେ ତାଙ୍କ ଅଫିସ ପକ୍ଷରୁ ଭିନ୍ନ ବାର୍ତ୍ତା ଆସିଛି। ଆଜି ପାକିସ୍ତାନ ପିଏମ୍ଓ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ଯେ ଭାରତ ସରକାର କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରିବା ଏବଂ ୫ ଅଗଷ୍ଟ ୨୦୧୯ର ପୂର୍ବ ସ୍ଥିତିକୁ ଫେରିବା ପାଇଁ ପଦକ୍ଷେପ ନେଲେ ହିଁ କଥାବାର୍ତ୍ତା ସମ୍ଭବ। ପ୍ରଧାନମନ୍ତ୍ରୀ ସରିଫ୍ ଏବଂ ତାଙ୍କ କାର୍ଯ୍ୟଳୟ ପକ୍ଷରୁ ଜାରି ବୟାନ ମଧ୍ୟରେ କୌଣସି ତାଳମେଳ ରହୁନଥିବା ବେଳେ ପାକିସ୍ତାନ ଚରମପନ୍ଥୀ କିମ୍ବା ସେନା ଚାପରେ ପରିଚାଳିତ ହେଉଥିବାରୁ ଏଭଳି ସ୍ଥିତିର ସମ୍ମୁଖୀନ ହେଉଥିବା କୁହାଯାଉଛି।