ଇସଲାମାବାଦ: ନକଲି... ନକଲି...  ନକଲି...   ଆଜିକାଲି ସବୁକିଛି ନକଲି ମିଳୁଥିବା ବେଳେ ଏବେ ଲୋକଙ୍କ ଅବିକଳ ନକଲ ଚେହେରା ବି ଦୁନିଆରେ ବେଶ୍ ଦେଖିବାକୁ ମିଳୁଛି । ସିନେ କଳାକାର କୁହନ୍ତୁ କି ରାଜନେତା । କମେଡିଆନ କୁହନ୍ତୁ କି ଚିତ୍ରକର, କାହାର ନା କାହାର ନକଲ ଦେଖିବାକୁ କେଉଁଠି ନା କେଉଁଠି ମିଳେ ।

Advertisment

ଦୁନିଆରେ ଗୋଟିଏ ଚେହେରାର ୭ ଟି ଏକାଭଳି ଚେହେରା ବୁଲୁଥିବାର କଥା କୁହାଯାଇଥାଏ । ବଲିଉଡର ଲୋକପ୍ରିୟ ସେଲିବ୍ରିଟିଙ୍କ କଥା କୁହନ୍ତୁ କିମ୍ବା ରାଜନେତା ସୋସିଆଲ୍ ମିଡିଆରେ ସମସ୍ତଙ୍କ ଅବିକଳ ଚେହେରାର ଭିଡିଓ ଆପଣ କେବେ ନା କେବେ ଦେଖିବାକୁ ପାଇଥିବେ । ଶାହାରୁଖ୍ ଖାନ୍ , ସଲମାନ୍ ଖାନ୍ , କରିନା କପୁର୍ , ଦୀପିକା ପାଦୁକୋନ୍ , ମାଧୁରୀ ଦିକ୍ଷିତ , ସନ୍ନି ଦେଓଲଙ୍କ ଭଳି ସେଲିବ୍ରିଟିଙ୍କ ଅବିକଳ ଚେହେରାର ବ୍ୟକ୍ତିତ୍ବ ସୋସିଆଲ୍ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳିଥାନ୍ତି । ଏମିତିକି ବିଦେଶୀ ରାଜନେତାଙ୍କ ନକଲ ଚେହେରା ମଧ୍ୟ ଭାରତରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ୍ ଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ପାକିସ୍ତାନର ବୋଲି ଜଣାପଡ଼ିଛି । ଯାହାକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି ଏବଂ ମଜାଳିଆ କମେଣ୍ଟ୍ ମଧ୍ୟ ଦେଉଛନ୍ତି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ଯୁବକ କୋଟିପତି ଏଲନ୍ ମସ୍କଙ୍କ ଅବିକଳ ଚେହେରା ଭଳି ଦେଖାଯାଉଛନ୍ତି । ପାକିସ୍ତାନର କେପିକେ ଅଞ୍ଚଳରୁ ସୁଟ୍ ହୋଇଥିବା ଏହି ଭିଡିଓରେ ହଷ୍ଟେଲରେ ବସି ଯୁବକ ଜଣକ ସାଙ୍ଗମାନଙ୍କ ସହ ଖଟି କରି ଖାଉଥିବାର ଦେଖାଯାଉଛନ୍ତି । ଯାହାର ଭିଡିଓ ତାଙ୍କର ଜଣେ ସାଙ୍ଗ ହିଁ ଉତ୍ତୋଳନ କରିଛନ୍ତି । ଭିଡିଓରେ ମସ୍କଙ୍କ ପରି ଅବିକଳ ଦେଖାଯାଉଥିବା ଯୁବକଙ୍କୁ ସାଙ୍ଗମାନେ ‘ପାକିସ୍ତାନର ଏଲନ୍ ମସ୍କ୍’ ବୋଲି ସମ୍ବୋଧନ କରୁଛନ୍ତି ।

ଏହି ଭିଡିଓଟି ପ୍ରଥମେ ଇନଷ୍ଟାଗ୍ରାମରେ ଅପଲୋଡ୍ ହେବା ପରେ ଅନଲାଇନ୍ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ୍ କରାଯାଇଥିଲା । କ୍ୟାପ୍ସନରେ ଲେଖାଥିଲା , ‘ପାକିସ୍ତାନର କେପିକେ ଅଞ୍ଚଳରେ ଦେଖନ୍ତୁ ଏଲନ୍ ମସ୍କଙ୍କ ଡୁପ୍ଲିକେଟ୍ ଖାଉଛନ୍ତି , ଏଲନ୍ ମସ୍କ୍ ଖାନ୍ ୟୁସୁଫଜୟି ।’ ଏହି ଯୁବକଙ୍କ ଆଖିରୁ ଆରମ୍ଭ କରି ପାଟି ଏମିତିକି ଦେହର ରଙ୍ଗ ମଧ୍ୟ ମସ୍କଙ୍କ ଭଳି ଦେଖାଯାଉଛି । ସୋସିଆଲ୍ ମିଡିଆ ୟୁଜର୍ସ ଭିଡିଓଟିକୁ ଦେଖି ମଜାଳିଆ କମେଣ୍ଟ୍ କରି କହୁଛନ୍ତି , ‘ଏ ତ ଏଲନ୍ ମସ୍କ୍ ଲାଇଟ୍ ।’ କେହି କେହି କହୁଛନ୍ତି , ‘ପାକିସ୍ତାନରେ ବି ଏନଲ୍ ମସ୍କ୍ ବାଃ’ । ଆଉ କେହି କହୁଛନ୍ତି , ଆରେ ମସ୍କ୍ ଭାଇ ବିଦେଶ ଛାଡ଼ି କେବେ ପାକିସ୍ତାନକୁ ସିଫ୍ଟ ହେଲେ ?