ଲୁଗା ଦୋକାନୀଙ୍କୁ ଧମକ ଦେଇ ବନ୍ଧା ହେଲେ ନକଲି ଜିଲ୍ଲାପାଳ

ଇନ୍ଦୋର: ଲୁଗା ଦୋକାନୀଙ୍କୁ ଧମକ ଦେବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ତେବେ ଏହି ମହିଳା ଜଣକ ବାସ୍ତବରେ ନକଲି ଅଧିକାରୀ ହୋଇ ଧମକ ଦେଇଥିଲେ | ଆଉ ଲୁଗା ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ କ୍ରାଇମବ୍ରାଞ୍ଚ ନକଲି ଏସଡିଏମ(ଅତିରିକ୍ତ ଜିଲ୍ଲାପାଳ)ଙ୍କୁ ଧରିଥିଲା। ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ଘଟଣା ଘଟିଛି | ସୂଚନା ମୁତାବକ ମହିଳା ନକଲି ଅଫିସର ଜଣକ ଲୁଗା କିଣିବା ପରେ ଦୋକାନୀକୁ ଟଙ୍କା ଦେଇନଥିଲେ। ଟଙ୍କା ମାଗିବାରୁ ଦୋକାନୀକୁ ଜେଲରେ ପୁରାଇଦେବାକୁ ଧମକ ଦେଇଥିଲେ। ଆଉ ଏହାପରେ ଦୋକାନୀ ଜଣକ କ୍ରାଇମବ୍ରାଞ୍ଚକୁ ଫୋନ କରିଥିଲେ | ଆଉ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପହଂଚି ଏହି ନକଲି ଅଧିକାରୀଙ୍କୁ ଗିରଫ କରିଥିଲେ |

ଅଧିକାରୀମାନେ କହିଛନ୍ତି ତଦନ୍ତରୁ ଜଣାପଡିଛି ଯେ ବେରୋଜଗାର ଯୁବକମାନଙ୍କୁ ଚାକିରି ଯୋଗାଇବା ନାମରେ ନକଲି ଅଧିକାରୀଜଣକ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି। ଏହି ନକଲି ଏସଡିଏମଙ୍କ ନାମ ନୀଲମ ପରାଶର ହୋଇଥିବାବେଳେ ମହିଳାଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ନିମିଶ ଅଗ୍ରୱାଲ କହିଛନ୍ତି। ଏହି ସବୁ ଅପରାଧ ଘଟାଇବାରେ ସ୍ୱାମୀଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି। ପୁଲିସ କହିଛି ଯେ ନୀଲମ ପରାଶର ନାମକ ଅନ୍ୟ ଜଣେ ଅଧିକାରୀ ଇନ୍ଦୋର ନିକଟ ଗୌତମପୁରାରେ ଏସଡିଏମ ଥିଲେ |

ଆଉ ତାଙ୍କ ନାମ ବ୍ୟବହାର କରି ଏହି ମହିଳା ଜଣକ ସମସ୍ତଙ୍କୁ ଠକୁଥିଲେ | ସେହିପରି ଏହି ମହିଳାଙ୍କ ନାମରେ ନକଲି ଚିଠି ଆଧାରରେ ଚାକିରି ପାଇବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। ଏହା ମଧ୍ୟ କୁହାଯାଉଛି ଯେ ମହିଳା ଜଣକ ବେକାର ଯୁବକଙ୍କୁ ଠକିବା ପାଇଁ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରୁଥିଲେ।

 

ସମ୍ବନ୍ଧିତ ଖବର