କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । କ୍ରାଇମ ସିନ୍ ରିକ୍ରିଏସନ୍ କଲା ଦୁର୍ଗାପୁର ପୁଲିସ । ପୁରୁଷ ବନ୍ଧୁ ଓ ୨ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ୍ କରିଛି ପୁଲିସ । ପୁରୁଷ ବନ୍ଧୁଙ୍କୁ ନେଇ ଘଟଣାସ୍ଥଳରେ ଛାନଭିନ କରିଛି ପୁଲିସ । ପୁରୁଷ ବନ୍ଧୁ ପୀଡିତାଙ୍କ ସହ କେମିତି କେଉଁ ଭଳି କ୍ୟାମ୍ପସ ଯାଇଥିଲେ ସବୁର ଘଟଣାକ୍ରମ ଆଉଥରେ ଦେଖାଯାଇଛି । ଏହାସହ ଅନ୍ୟଦୁଇ ଅଭିଯୁକ୍ତଙ୍କୁ ନେଇ ମଧ୍ୟ ପୁଲିସ ସେଠାରେ ପହଞ୍ଚିଥିଲା । 

Advertisment

ତେବେ ଘଟଣାଦିନ କଣ ସବୁ ଘଟିଥିଲା ସେ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ । ଅଭିଯୁକ୍ତକୁ ନେଇ କ୍ରାଇମ୍ ସ୍ପଟ୍‌ରେ ପହଞ୍ଚି ପୁଲିସ ତନାଘନା କରୁଛି । ପୁଲିସ ଟିମ୍ ପ୍ରଥମେ କ୍ୟାମ୍ପସ ପହଞ୍ଚିଥିଲା,  ସେଠାରୁ ଚାଲି ଚାଲି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି । ଘଟଣା ଦିନ ପୀଡ଼ିତା ଯେଉଁ ସବୁ ରାସ୍ତା ଦେଇ ଯାଇଥିଲେ ପୁଲିସ ଟିମ୍ ସେହି ରାସ୍ତା ଦେଇ ଚାଲି ଚାଲି ଯାଇଛି । ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଦୁର୍ଗାପୁର ପୁଲିସ । ଘଟଣା ଦିନ କିଭିଳି ପୀଡ଼ିତାଙ୍କୁ ଉଠାଇ ନେଇଥିଲେ କେଉଁ ସ୍ଥାନକୁ ନେଇଥିଲେ, କଣ କଣ ଘଟିଥିଲା, ସେସବୁର ସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଗଣ ଦୁଷ୍କର୍ମ ଘଟଣାରେ ପ୍ରମାଣ ସଂଗ୍ରହରେ ଲାଗିଛି ଏସଆଇଟି ଟିମ୍ । ଅଭିଯୁକ୍ତଙ୍କ ଘରେ ପହଞ୍ଚି ଅପରାଧ ସମୟରେ ବ୍ୟବହାର କରିଥିବା ପୋଷାକକୁ ଜବତ କରାଯାଇଛି । ତେବେ ସିନ୍ ରିକ୍ରିଏସନ ବେଳେ ତଥ୍ୟ ସଂଗ୍ରହରେ କାଳେ ବାଧା ଉପୁଜିବ ତେଣୁ ଘଟଣାସ୍ଥଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଗଣମାଧ୍ଯମର ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଇଯାଇଥିଲା । 

ସେପଟେ ଦୁର୍ଗାପୁର ମେଡିକାଲ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ  କୋଲକାତା ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ଘରୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ । ଜଷ୍ଟିସ ସମ୍ପା ଦତ୍ତଙ୍କ ଖଣ୍ଡପୀଠରେ ଏହି ଆବେଦନ କରାଯାଇଛି । ଖଣ୍ଡପୀଠରେ କଲେଜ କର୍ତ୍ତୃପକ୍ଷ ଆବେଦନ କରି ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଆବେଦନରେ ଯୁକ୍ତି ଦର୍ଶାଇ ଲେଖିଛନ୍ତି- କଲେଜରେ ଏବେ ପିଲାଙ୍କ ପରୀକ୍ଷା ଚାଲିଛି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ଆଖିରେ ରଖି ସଂରକ୍ଷଣ ଯୋଗାଇ ଦେବାକୁ ଆବେଦନ କରିଛନ୍ତି । ପୂର୍ବରୁ  କଲେଜ ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନକୁ  କଲେଜ କର୍ତ୍ତପକ୍ଷ ଖଣ୍ଡନ କରିଥିଲେ। କହିଥିଲେ କଲେଜ କ୍ୟାମ୍ପସ ବାହାରେ ଅଘଟଣ ଘଟିଛି ।  

ଅନ୍ୟପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି,ଭି ଆନନ୍ଦ ବୋଷ । ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପଶ୍ଚିମବଙ୍ଗ ଆଉ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ମହିଳାମାନଙ୍କ ପାଇଁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିବା ପାଇଁ ଦ୍ୱିତୀୟ ପୁନର୍ଜାଗରଣ ଆବଶ୍ୟକ । ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ଆବଶ୍ୟକ । ରାଜ୍ୟପାଳ ପୀଡ଼ିତାଙ୍କ ପିତାମାତାଙ୍କୁ ନ୍ୟାୟର ଆଶ୍ୱାସନା ଦେଇଥିଲେ ।