କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ପୀଡିତାଙ୍କ ବାପା । ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଲେ- ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ । ମୋ ଝିଅର ଜୀବନ ପ୍ରତି ବିପଦ ରହିଛି । ଝିଅକୁ ମାରିଦେବାକୁ ଉଦ୍ୟମ ହୋଇପାରେ ବୋଲି ବଡ଼ ବୟାନ ଦେଇ ପଶ୍ଚିମବଙ୍ଗ ସରକାର ଏବଂ ସେଠାକାର ବ୍ୟବସ୍ଥା ଉପରେ ସନ୍ଦେହ କରିଛନ୍ତି ପୀଡିତାଙ୍କ ବାପା ।
ତେବେ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି ପୀଡିତାଙ୍କ ବାପା । କହିଛନ୍ତି- ଦୟାକରି ଝିଅକୁ ଓଡିଶା ଯିବାକୁ ଅନୁମତି ଦିଅନ୍ତୁ । ଏଠାରେ ମୋ ଝିଅ ସୁରକ୍ଷିତ ନୁହେଁ, ଓଡିଶାରେ ସିଏ ସୁରକ୍ଷିତ ରହିବ । ଝିଅର ସ୍ବାସ୍ଥ୍ଯାବସ୍ଥା ନେଇ ବି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଝିଅ ମୋର ଚଳାବୁଲା କରିବାକୁ ଅସମର୍ଥ, ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ।
ଜିଲ୍ଲାପାଳ, ଏସପି ଏବଂ ପୂରା ପୋଲିସ ବ୍ୟବସ୍ଥାକୁ ଝିଅର ସ୍ବାସ୍ଥ୍ୟାବସ୍ଥାର ଟିକନିକ ଖବର ଦେଉଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ଇତିମଧ୍ଯରେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୦ ଦିନିଆ ରିମାଣ୍ଡରେ ନିଆଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ କରିବା ସହ ତଥ୍ୟ ସଂଗ୍ରହ କରିଛି ।