ଉଜ୍‌ବେକିସ୍ତାନ ଗସ୍ତରେ ମୋଦୀ ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବେ

ସୀମା ସଂଘର୍ଷ ପରେ ଜିନପିଙ୍ଗଙ୍କ ସହ ପ୍ରଥମ ସାକ୍ଷାତ, ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନ ଗସ୍ତରେ ଯାଇଛନ୍ତି। ଉଜବେକିସ୍ତାନର ସମରକନ୍ଦରେ ମୋଦୀ ୨୨ତମ ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବେ। ଐତିହାସିକ ସହର ସମରକନ୍ଦରେ ଆଜିଠାରୁ ଏସସିଓ ସମ୍ମିଳନୀ ଆରମ୍ଭ ହୋଇଛି। କରୋନା ମହାମାରୀ ପରେ ଏହା ପ୍ରଥମ ଅଫଲାଇନ୍‌ ଏସ୍‌ସିଓ ଶିଖର ସମ୍ମିଳନୀ। ଗତ ୨ ବର୍ଷ ହେବ ଏସ୍‌ସିଓ ସମ୍ମିଳନୀ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେଉଥିଲା। ଶେଷ ଏସ୍‌ସିଓ ସମ୍ମିଳନୀ ୨୦୧୯ ଜୁନ୍‌ରେ ବିଶ୍‌କେକ୍‌ରେ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ସିଓ ସମ୍ମିଳନୀ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କୁ ଭେଟିବେ। ମୋଦୀ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ। ତେବେ ସୀମା ସଂଘର୍ଷ ପରେ ମୋଦୀ ପ୍ରଥମ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାମ୍ନାସାମ୍ନି ହେବେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ଭାରତ ଏବଂ ଏସ୍‌ସିଓର ଅନ୍ୟ ସଦସ୍ୟମାନେ ଶକ୍ତି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଭାରତର ବିଦେଶ ସଚିବ ବିନୟ କ୍ବାତ୍ରା କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଚୀନ୍‌ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଉଜ‌୍‌ବେକିସ୍ତାନରେ ସାକ୍ଷାତ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରେ ପୁଟିନ ଏବଂ ଜିନପିଙ୍ଗ୍‌ଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଏହି ଅବସରରେ ପୁଟିନ ଜିନପିଙ୍ଗଙ୍କୁ ପ୍ରଶଂସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଜିନପିଙ୍ଗଙ୍କ ସନ୍ତୁଳିତ ସ୍ଥିତିକୁ ପୁଟିନ ପ୍ରଶଂସା କରିବା ସହ ଆମେରିକାକୁ କଡ଼ା ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏସସିଓରେ ଏବେ ୮ ଜଣ ସଦସ୍ୟ ରାଷ୍ଟ୍ର ତଥା ଚୀନ୍‌, ଭାରତ, କଜଖସ୍ତାନ, କିରଗିଜସ୍ତାନ, ରୁଷ୍‌, ପାକିସ୍ତାନ, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ ଅଛନ୍ତି।

ସମ୍ବନ୍ଧିତ ଖବର