ମୁମ୍ବାଇ: ବର୍ତ୍ତମାନ ଛଡ଼ିଶଗଡ଼ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଛି। ଏଭଳି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛି। ମହାଦେବ ବେଟିଂ ଆପ୍ ପ୍ରତିଷ୍ଠାତାମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ଇଡି କହିଛି। ଏ ବାବଦରେ କେତେକ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି କହିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗତକାଲି ରାଜ୍ୟରେ ଇଡି ଚଢ଼ଉ କରି ୫.୩୯ କୋଟି ଟଙ୍କା ଜବତ କରିବା ସହ ଏହି ମାମଲାରେ ମହାଦେବ ଆପ୍ର ଅର୍ଥବାହକ ଅସୀମ ଦାସଙ୍କୁ ଗିରଫ କରିଥିଲା। ମିଳିଥିବା ପ୍ରମାଣ ଆଧାରରେ ଆଜି ଇଡି ମୁଖ୍ୟମନ୍ତ୍ରୀ ବଘେଲଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି।
ଗିରଫ ହୋଇଥିବା ଅର୍ଥବାହକ ଅସୀମ ଦାସଙ୍କୁ ରାଜ୍ୟରେ ଶାସକ କଂଗ୍ରେସ ଦଳ ପାଇଁ ନିର୍ବାଚନୀ ଖର୍ଚ୍ଚ ନିମନ୍ତେ ନଗଦ ପହଞ୍ଚାଇବା ପାଇଁ ୟୁଏଇ ମଧ୍ୟ ପଠାଯାଇଥିଲା ବୋଲି ଇଡି କହିଛି। ଅସୀମ ଦାସ ସ୍ବୀକାର କରିଛନ୍ତି ଯେ ଜବତ ହୋଇଥିବା ଅର୍ଥ ମହାଦେବ ବେଟିଂ ଆପ୍ ପ୍ରତିଷ୍ଠାତାମାନଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ଦେବାପାଇଁ ବ୍ୟବସ୍ଥା ହୋଇଥିଲା ଏବଂ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ପୈଠ କରାଯାଇଛି। ଏହି ମାମଲାରେ ଇଡିର ତଦନ୍ତ ଜାରି ରହିଛି ଏବଂ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ଛତିଶଗଡ଼ରେ ୭ ଓ ୧୭ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବେଳେ ବଘେଲଙ୍କ ବିରୋଧରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି।