କରୌଲି ଦଙ୍ଗା ସମୟ‌ରେ ମହିଳାଙ୍କ ସାହସିକତା, ୧୫ ପୁରୁଷଙ୍କ ଜୀବନ ବଞ୍ଚାଇଲେ

ଜୟପୁର: ରାଜସ୍ଥାନର କ‌ରୌଲିରେ ଗତ ଏପ୍ରିଲ ୨ ତାରିଖରେ ହୋଇଥିବା ଦଙ୍ଗାରେ ଜଣେ ମହିଳା ଏକାକୀ ୧୫ ପୁରୁଷଙ୍କ ଜୀବନ ବଞ୍ଚାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ ସଂପ୍ରଦାୟର ଥିଲେ। ତେବେ ଦଙ୍ଗା‌ରେ ଏତେ ବଡ଼ ସାହସିକତା ପ୍ରଦର୍ଶନ କରିଥିବା ଏହି ମହିଳାଙ୍କ ନାମ ହେଉଛି ମଧୁଲିକା ସିଂହ। ଏହି ହିନ୍ଦୁ ମହିଳା କିଛି ବାଛ ବିଚାର ନକରି ଅନେକ ମୁସଲିମ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି। ୪୮ ବର୍ଷୀୟା ଏହି ମହିଳାଙ୍କର ୨ ସନ୍ତାନ ଅଛନ୍ତି। ତାଙ୍କ ସ୍ବାମୀ ନାହାନ୍ତି। ସେ ଗତ ୫ ବର୍ଷ ଧରି ପୋଷାକ ବ୍ୟବସାୟ କରୁଛନ୍ତି। ହିନ୍ଦୁ ନୂଆ ବର୍ଷ ପାଇଁ ଏକ ‌ଶୋଭାଯାତ୍ରା ହେଉଥିବା ବେଳେ କରୌଲିରେ ଦଙ୍ଗା ହୋଇଥିଲା।

ଉକ୍ତ ମହିଳାଙ୍କ ଦୋକାନ ଥିବା ରାସ୍ତାରେ ଲୋକମାନେ ଶୋଭାଯାତ୍ରା କରି ଯାଉଥିଲେ। ତେବେ ସେମାନେ ଏକ ମୁସଲିମ୍‌ ଅଞ୍ଚଳ ଦେଇ ଯିବାବେଳେ ସମସ୍ୟା ହୋଇଥିଲା। ଲାଉଡ୍‌ସ୍ପିକରରେ ଧର୍ମକୁ ନେଇ ବିଭିନ୍ନ ସମ୍ବେଦନଶୀଳ ସ୍ଲୋଗାନ୍‌ ଦେବାପରେ ହିଂସା ଉପୁଜିଥିଲା। ମଧୁଲିକା କହିଛନ୍ତି, ହିଂସା‌ ଆରମ୍ଭ ହେବାପରେ ଲୋକେ ତୁରନ୍ତ ସଟର୍‌ ପକାଇ ଦେଇଥିଲେ। କିଛି ଲୋକ ମଧୁଲିକା ସିଂହଙ୍କ ଦୋକାନକୁ ଆସି ଆଶ୍ରୟ ମାଗିଥିଲେ। ମଧୁଲିକା ପ୍ରାୟ ୧୫ ଜଣଙ୍କ ଆଶ୍ରୟ ଦେବାସହ ତାଙ୍କ ଦୋକାନର ଗେଟ୍‌ ବନ୍ଦ କରିଦେଇଥିଲେ। ଦଙ୍ଗାକାରୀଙ୍କଠାରୁ ସେ ସେମାନଙ୍କୁ ବଞ୍ଚାଇଥିଲେ। କିଛି ବିଶୃଙ୍ଖଳ ଜନତା ତାଙ୍କ ଦୋକାନ ଗେଟ୍‌ ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଧୁଲିକା ସେମାନଙ୍କୁ ଅଟକାଇଥିଲେ। ମଧୁଲିକା ଏକାକୀ ୧୫ ପୁରୁଷଙ୍କ ଜୀବନ ବଞ୍ଚାଇଛନ୍ତି। ମଧୁଲିକା କହିଛନ୍ତି, ମାନବିକତାଠାରୁ ବଡ଼ କିଛି ଏ ସଂସାରରେ ନାହିଁ।

ସମ୍ବନ୍ଧିତ ଖବର