୨ ସପ୍ତାହ ପାଇଁ ‌ଜେଲ୍‌ରୁ ବାହାରିବେ ଦୁଶ୍ୟନ୍ତଙ୍କ ପିତା ଅଜୟ ଚୌତାଲା

ନୂଆଦିଲ୍ଲୀ : ଜେଜେପି (ଜନନାୟକ ଜନତା ପାର୍ଟି) ନେତା ଦୁଶ୍ୟନ୍ତ ଚୌତାଲାଙ୍କ ବାପା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ରୁ ୨ ସପ୍ତାହ ପାଇଁ ଛୁଟି ମିଳିଛି। ଚୌତାଲା ୨ ସପ୍ତାହ ଛୁଟି ପାଇଁ କରିଥିବା ଆବେଦନକୁ ମଂଜୁରି ମିଳି ସାରିଛି ‌ବୋଲି ତିହାର ଜେଲ୍‌ ଡିଜିପି କହିଛନ୍ତି। ଜେଜେପି ଅଧ୍ୟକ୍ଷ ଦୁଶ୍ୟନ୍ତ ଚୌତାଲା ଗତକାଲି ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ ପରିସରରେ ଭେଟିଥିଲେ। ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ସରକାର ଗଠନ ହେବା ସ୍ପଷ୍ଟ ହୋଇଯାଇଥିବା ବେଳେ ଅଜୟ ଚୌତାଲାଙ୍କୁ ଏମିତି ଏକ ସମୟରେ ଛୁଟି ମଂଜୁର କରାଯିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ, ଅଜୟ ଚୌତାଲା ଏବଂ ତାଙ୍କ ବାପା ଓମ୍‌ ପ୍ରକାଶ ଚୌତାଲା ବେଆଇନ ଶିକ୍ଷକ ନିଯୁକ୍ତି ମାମଲାରେ ୨୦୧୩ ଜାନୁଆରି ୧୬ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟ ଅଜୟ ଏବଂ ଓମ୍‌ ପ୍ରକାଶ ଚୌତାଲାଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ମଧ୍ୟ ରହିଛି। ୧୪ ଦିନର ଛୁଟି ସରିବାପରେ ଅଜୟ ଚୌତାଲା ଜେଲ୍‌ରେ ଆସି ହାଜର ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର