ରାବଣଙ୍କ ଆଶୀର୍ବାଦରୁ ଚାକିରି ମିଳୁଥିବରୁ ଏହି ଗାଁରେ ହୁଏନି ରାବଣ ପୋଡ଼ି, କରାଯାଏ ପୂଜା

ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ | ଏହିପରି ଗୋଟିଏ ଗ୍ରାମ ମହାରାଷ୍ଟ୍ରର ଅକୋଲାରେ ମଧ୍ୟ ଅଛି, ଯେଉଁଠାରେ ଦଶହରା ଦିନ ରାବଣ ପୋଡି କରାନଯାଇ ରାଜା ରାବଣଙ୍କ ଆଳତୀ କରାଯାଇଥାଏ। ଅକୋଲା ଜିଲ୍ଲାର ସାଙ୍ଗୋଲା ଗାଁର ଅନେକ ବାସିନ୍ଦା ବିଶ୍ୱାସ କରନ୍ତି ଯେ, ରାବଣଙ୍କ ପୂଜା କରିବା ଦ୍ବାରା ସେମାନଙ୍କୁ ଚାକିରି ମିଳେ ଏବଂ ସେମାନେ ନିଜର ପରିବାର ଚଳାଇ ପାରନ୍ତି। ରାବଣଙ୍କ ଆଶୀର୍ବାଦ ହେତୁ ଜୀବିକା ନିର୍ବାହ କରିବାରେ ସକ୍ଷମ ହେଉଥିବା ଭାବି ସାଙ୍ଗୋଲା ଗାଁର ବାସିନ୍ଦା ରାବଣଙ୍କୁ ପୂଜା କରିଥାନ୍ତି।

ଗତ ୩୦୦ବର୍ଷ ଧରି ଗାଁରେ ରାବଣଙ୍କୁ ତାଙ୍କର ଜ୍ଞାନ ପାଇଁ ପୂଜା କରିବାର ପରମ୍ପରା ଚାଲି ଆସିଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ଗାଁର ମଧ୍ୟଭାଗରେ ୧୦ଟି ମୁଣ୍ଡ ଥିବା ରାବଣଙ୍କ ଏକ ଲମ୍ବା କଳା ପଥର ପ୍ରତିମା ରହିଛି। ସ୍ଥାନୀୟ ବାସିନ୍ଦା ଭିବାଜୀ ଠାକୁର ବୁଧବାର ଦିନ ଦଶହରା ଅବସରରେ କହିଥିଲେ ଯେ, ଗ୍ରାମବାସୀ ଉଭୟ ଭଗବାନ ରାମଙ୍କୁ ଏବଂ ରାବଣଙ୍କୁ ବିଶ୍ବାସ କରନ୍ତି। ସ୍ଥାନୀୟ ଲୋକ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ପ୍ରତିବର୍ଷ ଦଶହରାରେ ଏହି ଛୋଟ ଗାଁକୁ ଲଙ୍କାର ରାଜାଙ୍କ ପ୍ରତିମୂର୍ତ୍ତୀ ଦେଖିବା ପାଇଁ ଆସନ୍ତି ଏବଂ କେହି କେହି ପ୍ରାର୍ଥନା ମଧ୍ୟ କରନ୍ତି।

ସମ୍ବନ୍ଧିତ ଖବର