ସାରା ଦେଶରେ ଆଜି ଦଶହରା ବା ବିଜୟାଦଶମୀ ଉତ୍ସବ ପାଳନ କରାଯାଉଛି । ଆଜିର ଦିନରେ ମହାପ୍ରଭୂ ଶ୍ରୀରାମ ରାବଣର ବଧ କରିଥିଲେ । ପୁରାଣ ଅନୁସାରେ ପ୍ରଭୁ ରାମ ମହାଅଷ୍ଟମୀ ଓ ମହାନବମୀର ସନ୍ଧିକାଳରେ ମହାଦେବୀଙ୍କର ମହାପୂଜା ଆୟୋଜନ କରିଥିଲ । ଦେବୀଙ୍କଠାରୁ ବରପ୍ରାପ୍ତ କରି ସେ ଦଶମୀରେ ଦଶାନନର ଅନ୍ତ କରିଥିଲେ ।
ଶାସ୍ତ୍ର ଅନୁସାରେ ଶାରଦୀୟ ଦୁର୍ଗୋତ୍ସବ ପୂର୍ବରୁ ଭାରତରେ ବାସନ୍ତୀକ ଦୁର୍ଗାପୂଜା ପ୍ରଚଳିତ ଥିଲା । କିନ୍ତୁ ମହାଦେବଙ୍କ ବରରେ ବଳିୟାନ ରାବଣକୁ ମାରିବାକୁ ପ୍ରଭୁ ରାମ ଦୁର୍ଗାଙ୍କ ଉପାସନ ଶରତକାଳରେ କରିଥିଲେ । ଚତୁର୍ମାସ୍ୟା ହେଉଛି ସବୁ ଦେବଦେବୀଙ୍କ ଶୟନ କାଳ । ଦୁର୍ଗାଙ୍କ ଶୟନ ସମୟରେ ହିଁ ଶ୍ରୀରାମ ଉପାସନା କରି ତାଙ୍କୁ ଜାଗ୍ରତ କରିଥିଲେ । ଏଥିପାଇଁ ଏହାକୁ ଅକାବୋଧନ ବୋଲି କୁହାଯାଏ । ‘ଅକାଳ’ ଅର୍ଥାତ ଅସମୟ ଓ ‘ବୋଧନ’ ଅର୍ଥାତ ଜାଗ୍ରତ କରିବା । ଏହି ଭଗବାନ ରାମ ହିଁ ଶାରଦୀୟ ମହାପୂଜାର ପରମ୍ପରା ଆରମ୍ଭ କରିଥିଲେ ।
ନିଜର ପୂଜା ସମୟରେ ଶ୍ରୀରାମ ଦେବୀଙ୍କୁ ପ୍ରସନ୍ନ କରିବାକୁ ୧୦୮ଟି ନୀଳପଦ୍ମ ଅର୍ପଣ କରିଥିଲେ । କିନ୍ତୁ ଶ୍ରୀରାମଙ୍କୁ ପରୀକ୍ଷା କରିବାକୁ ଦେବୀ ଗୋଟିଏ ପଦ୍ମ ଲୁଚାଇ ଦିଅନ୍ତେ, ଶ୍ରୀରାମ ନିଜର ପଦ୍ମଲୋଚନକୁ ଅର୍ପଣ କରିଥିଲେ । ଏଥିରେ ଦେବୀ ପ୍ରସନ୍ନ ହୋଇ ବିଜୟଶ୍ରୀ ଆଶିର୍ବାଦ ଦେଇଥିଲେ ।
ମୂଳ ରାମାୟଣରେ ନାହିଁ ଏହି ଆଖ୍ୟାନ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶରତକାଳରେ ଶ୍ରୀରାମଙ୍କ ଏହି ଦୁର୍ଗାପାସନା ଆଖ୍ୟାନଟି ବଙ୍ଗଳାର କୃତ୍ତିବାସ ରାମାୟଣରୁ ଆସିଛି । ମୂଳ ବାଲ୍ଲିକୀ ରାମାୟଣ, ଓଡ଼ିଆ ଜଗମୋହନ ରାମାୟଣ ଓ ରାମଚରିତ ମାନସରେ ଏହା ନାହିଁ। ମୁଖ୍ୟତଃ ଶ୍ରୀରାମ ଭଗବାନ ଶିବ ଓ ସୂର୍ଯ୍ୟଙ୍କ ପୂଜା କରି ଯୁଦ୍ଧ କରିଥିଲେ ବୋଲି ଏସବୁ ରାମାୟଣରେ ବର୍ଣ୍ଣିତ।