ନୂଆଦିଲ୍ଲୀ : ଦେଶର ପଶ୍ଚିମଭାଗରେ ଏବେ ସମ୍ଭାବ୍ୟ ବାତ୍ୟା ବାୟୁ ଯୋଗୁଁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଓଡ଼ିଶା ଓ ସମଗ୍ର ଉତ୍ତରଭାରତରେ ପ୍ରବଳ ଗ୍ରୀଷ୍ଣପ୍ରବାହ ଲାଗି ରହିଛି । ତେବେ ଦିଲ୍ଲୀରେ ଆଜି କାଳବୈଶାଖି ପ୍ରଭାବରୁ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଛି । ଏହା ଫଳରେ ଦିଲ୍ଲୀବାସୀଙ୍କୁ ପ୍ରବଳ ଗରମରୁ ତ୍ରାହି ମିଳିଛି ।
କିନ୍ତୁ ବର୍ଷା ପୂର୍ବରୁ ରାଜଧାନୀରେ ପ୍ରବଳ ଧୂଳିଝଡ଼ ଦେଖିବାକୁ ମିଳିଥିଲା । ଏହି ଧୂଳି ଝଡ଼ର ପ୍ରଭାବ ଏତେ ବେଶୀ ଥିଲା ଯେ ଦିଲ୍ଲୀ ଆକାଶରେ ଧୂଳିର ଏକ ପରସ୍ତ ବସିଯିବା ଭଳି ଲାଗୁଥିଲା । କେବଳଦିଲ୍ଲୀ ନୁହେଁ ଗୁରୁଗାଁଓ ଓ ନୋଇଡାରେ ମଧ୍ୟ ଏହି ଧୂଳିଝଡ଼ର ପ୍ରଭାବ ଅନୁଭୂତ ହୋଇଛି । ଏହି ଧୂଳିଝଡ଼ ଯୋଗୁଁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଗୁଡ଼ିକର ଉଡାଣ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେତେକ ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇଦିଆଯାଇଛି । ଆଉ କେତେକ ବିମାନ ବିଳମ୍ବିତ ହୋଇଛି ।