ତାମିଲନାଡୁରେ ପୁଣି ତେଜିଲା ଦ୍ରାବିଡ଼ ଆନ୍ଦୋଳନ, ବ୍ରାହ୍ମଣଙ୍କ ପଇତା କାଟିଲେ ୪ ଯୁବକ

ଚେନ୍ନାଇ : ତ୍ରିପୁରାରେ ବିଜେପି ସମର୍ଥକଙ୍କ ଦ୍ୱାରା କମ୍ୟୁନିଷ୍ଟ ନେତା ଲେନିନଙ୍କ ମୂର୍ତ୍ତି ଭଙ୍ଗା ଘଟଣା ପରେ ସାରାଦେଶରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶେଷକରି ତାମିଲନାଡୁରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ତାମିଲନାଡୁର ବିଜେପି ନେତା ଏଚ.ରାଜାଙ୍କ ତାମିଲ ଜାତୀୟତାବାଦି ନେତା ପେରିୟାର ଇ.ଭି.ରାମସାମୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଦ୍ରାବିଡ଼ ଆନ୍ଦୋଳନ ପୁଣି ଜୀବନ୍ୟାସ ପାଇଛି । ବିଶେଷକରି ବ୍ରାହ୍ମଣ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି ।

ବୁଧବାରଦିନ ରାଜ୍ୟର ମାଇଲାପୋର ଅଞ୍ଚଳର କେତେକ ଲୋକଙ୍କର ବଳପୂର୍ବକ ପଇତା କଟାଯାଇଥିବା ଘଟଣା ସାମନାକୁ ଆସିଛି । ଚାରିଜଣ ଯୁବକ ଏକ ବାଇକରେ ଆସି ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଦେବା ସହ ପ୍ରାୟ ୮ ଜଣ ବ୍ୟକ୍ତିଙ୍କର ପଇତା କାଟିଦେଇଛନ୍ତି । ସେମାନେ ପେରିୟାରଙ୍କ ସମର୍ଥନରେ ମଧ୍ୟ ସ୍ଲୋଗାନ ଦେଉଥିଲେ । ଏହି ଯୁବକମାନେ ଦ୍ରାବିଡ଼ାର ବିଦୁଥଲାଇ କାଜାଗାମ ଗୋଷ୍ଠୀର ସଦସ୍ୟ ବୋଲି ଜଣାପଡିଛି । ଏହି ଯୁବକମାନେ ଅପରାହ୍ନରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି ।

ତାମିଲନାଡ଼ୁରେ ପେରିୟାର (ଇ.ଭି.ରାମସାମୀ) ( ୧୮୭୯-୧୯୭୩) ଜଣେ ଜଣାଶୁଣା ସମାଜସଂସ୍କାରକ ଓ ଦ୍ରାବିଡ଼ ଆନ୍ଦୋଳନ ନେତା ଭାବେ ଜଣାଶୁଣା । ହିନ୍ଦୁଧର୍ମ, ଉତ୍ତରଭାରତ, ସଂସ୍କୃତ ଓ ବ୍ରାହ୍ମଣ ବିରୋଧୀ ଆନ୍ଦୋଳନ ପାଇଁ ସେ ସାରା ଦେଶରେ ବେଶ ବିବାଦୀୟ ।

ସମ୍ବନ୍ଧିତ ଖବର