ନୂଆଦିଲ୍ଲୀ : ଗୁରୁ ନାନକଙ୍କ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ତେବେ ସରକାରଙ୍କର ଏହି ଅଚାନକ ଘୋଷଣା ଆଗକୁ ବିଧାନସଭା ନିର୍ବାଚନ ଥିବା ପଂଜାବ ରାଜନୀତିର ମୋଡ଼ ବଦଳାଇଦେବ। ଏବେ ବିବାଦୀୟ କୃଷି ଆଇନ ଉଚ୍ଛେଦ ସହ ବିଜେପିକୁ ବଡ଼ ଆଶ୍ବସ୍ତି ମିଳିଛି। ବିଶେଷ କରି ପଂଜାବରେ ବିଜେପି ପାଇଁ ଏହି ନିଷ୍ପତ୍ତି ଲାଭଦାୟକ ହେବ। ଏହି ବିବାଦୀୟ ଆଇନ ପାଇଁ ଗତବର୍ଷ ଏନ୍ଡିଏ ମେଣ୍ଟରୁ ଶିରୋମଣି ଅକାଳୀ ଦଳ (ସ୍ୟାଡ୍) ଓହରି ଆସିଥିଲା। ଦୀର୍ଘ ୨୪ ବର୍ଷର ମେଣ୍ଟ ଭାଙ୍ଗିଥିଲା। ଖାଲି ସେତିକି ନୁହେଁ ଗ୍ରାମୀଣ ପଂଜାବରେ ଏହି ଆଇନ ପାଇଁ ବିଜେପି ଶିଖ୍ କିଷାନଙ୍କ କ୍ରୋଧର ଶିକାର ହୋଇଥିଲା। କିନ୍ତୁ କୃଷି ଆଇନ ପ୍ରତ୍ୟାହାର ଦ୍ବାରା ଆଗକୁ ବିଜେପିର ଲାଭ ହେବ।
ମୋଦୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ କଂଗ୍ରେସର ଭୂମିକା ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ। ପଂଜାବରେ ଶାସକ କଂଗ୍ରେସ ଲଗାତାର ଭାବେ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରି ଆସୁଥିଲା। ଳଗାତାର ୨ ଥର ଏହା ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ କରିଛି। ଚନ୍ନି ସରକାର ମଧ୍ୟ ଗ୍ରାମୀଣ ଭୋଟରମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ତେଣୁ ମୋଦୀ ସରକାର ଶେଷରେ କୃଷି ଆଇନ ପ୍ରତ୍ୟାହାର ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କୃଷି ଆଇନ ପ୍ରତ୍ୟାହାର ଦ୍ବାରା ପଂଜାବରେ ନୂଆ ରାଜନୈତିକ ମେଣ୍ଟ ହେବାର ସମ୍ଭାବନା ରହିଛି। ଶିରୋମଣି ଅକାଳୀ ଦଳ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି। ସ୍ୟାଡ୍ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବି ପୂର୍ବରୁ ଏହା କୃଷି ଆଇନକୁ ସମର୍ଥନ କରୁଥିବାରୁ ଏହାର ନିଜ ନିର୍ବାଚନମଣ୍ଡଳି ଗୁଡ଼ିକରେ କୃଷକଙ୍କ ମଧ୍ୟରେ ଆସ୍ଥାଭାଜନ ହୋଇପାରିଲାନି। ବିଏସ୍ପି ସହ ମଧ୍ୟ ଏହା ମେଣ୍ଟ କରିବାକୁ ପ୍ରସ୍ତୁତ ନାହିଁ। କୃଷକଙ୍କ ପାଖରେ ଶିରୋମଣି ଅକାଳି ଦଳ ଯେଉଁ ବିଶ୍ବାସ ହରାଇଥିଲା ଏବେ ତାହା ଫେରି ପାଇବ ବୋଲି ଆଶା କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଜେପି ଏବଂ ଅକାଳି ଦଳ ପୁଣିଥରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିପାରନ୍ତି।
କୃଷି ଆଇନ ପ୍ରତ୍ୟାହାର ସହ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଦଳ ସହ ବିଜେପିର ମେଣ୍ଟ ପାଇଁ ବାଟ ଫିଟିଯାଇଛି। କୃଷି ଆଇନ ପ୍ରସଙ୍ଗରେ କିଛି ସମାଧାନ ହୋଇପାରିଲେ ବିଜେପି ସହ ଆମ ମେଣ୍ଟ ନିଶ୍ଚିତ ବୋଲି ପୂର୍ବରୁ ଅମରିନ୍ଦର ଘୋଷଣା କରିଥିଲେ।