ନୂଆଦିଲ୍ଲୀ : ଓଡିଶାର ହାଇକୋର୍ଟ ଓ ଜିଲ୍ଲା ଅଦାଲତମାନଙ୍କରେ ଇ-ଫାଇଲିଂର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିସହିତ ଓଡ଼ିଶା ହାଇକୋର୍ଟରେ ଫଇସଲା ହୋଇସାରିଥିବା ମାମଲାଗୁଡିକର ଡିଜିଟାଲକରଣ ଜାରି ରହିଛି। ତେବେ, ବିଚାରାଧୀନ ମାମଲାଗୁଡିକର ଡିଜିଟାଲକରଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିଭଳି, ଜିଲ୍ଲା ଅଦାଲତମାନଙ୍କରେ ଫଇସଲା ହୋଇସାରିଥିବା ଓ ବିଚାରାଧୀନ ମାମଲାଗୁଡିକର ଡିଜିଟାଲକରଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟ ଓ ବିଧି ସଂବନ୍ଧୀୟ ସଂସଦୀୟ କମିଟି ପକ୍ଷରୁ ପ୍ରସ୍ତୁତ ଅନ୍ତରୀଣ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି। ରିପୋର୍ଟରେ ଓଡିଶା ସମେତ ୧୩ଟି ରାଜ୍ୟର ହାଇକୋର୍ଟରେ ଓ ୧୪ ରାଜ୍ୟର ଜିଲ୍ଲା ଅଦାଲତ ମାନଙ୍କରେ ଇ-ଫାଇଲିଂର ବ୍ୟବସ୍ଥା ଆରମ୍ଭ ହୋଇଥିବାର ଉଲ୍ଲେଖ ଅଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, ଜିଲ୍ଲା ତଥା ନିମ୍ନ ଅଦାଲତ ମାନଙ୍କରେ କାର୍ଯ୍ୟ କରୁଥିବା ୫୦ ପ୍ରତିଶତ ଓକିଲ ମାନଙ୍କ ପାଖରେ କମ୍ପ୍ୟୁଟର ଓ ଲାପ୍ଟପ୍ର ଅଭାବ ରହିଛି। ଫଳରେ, ସେମାନଙ୍କର ଭର୍ଚୁଆଲ ପ୍ରୋସିଡିଂରେ ଦକ୍ଷତା ନାହିଁ। ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାପାଇଁ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। ଏତଦ୍ବ୍ୟତୀତ କମିଟି ଦ୍ବାରା ସରକାରଙ୍କୁ ଯେଉଁ ୧୫ଟି ସୁପାରିଶ କରାଯାଇଛି, ସେଥିରେ- ସମସ୍ତ କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ପ୍ରତିଷ୍ଠା କରିବା, ଜାତୀୟ ବ୍ରଡବ୍ୟାଣ୍ଡ ମିସନ କାର୍ଯ୍ୟକୁ ଶୀଘ୍ର ତ୍ବରାନିତ କରିବା, ୩/୫ ବର୍ଷର ଆଇନ ପାଠ୍ୟକ୍ରମରେ କମ୍ପ୍ୟୁଟର କୋର୍ସକୁ ଆରମ୍ଭ କରାଯିବା ଭଳି ପ୍ରସଙ୍ଗ ସାମିଲ ରହିଛି। ଏହି ରିପୋର୍ଟ ଆଜି ରାଜ୍ୟସଭାର ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡୁଙ୍କୁ ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/court.jpg)