ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ କରିବା ପାଇଁ ‘ଇ-ରୁପି’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଇ-ରୁପି’ ର ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର-ଆଧାରିତ ଡିଜିଟାଲ ପେମେଣ୍ଟ ଇ-ରୁପିକୁ ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ସମୟରେ ‘ଇ-ରୁପି’ ର ଶୁଭାରମ୍ଭ ହେଉଛି। ‘ଇ-ରୁପି’ ଜଣେ ବ୍ୟକ୍ତିଙ୍କର ଆବଶ୍ୟକତା ସହ ଜଡିତ ରହିଛି | ଅର୍ଥ ରାଶି ଯେଉଁଥି ପାଇଁ ମିଳିଥିବ ସେଥିପାଇଁ ଖର୍ଚ୍ଚ ହୋଇପାରିବ, ‘ଇ-ରୁପି’ ତାହାକୁ ନିଶ୍ଚିତ କରାଇବ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଭାଉଚର ଆଧାରିତ ଡିଜିଟାଲ ପେମେଣ୍ଟ ସିଷ୍ଟମ- ‘ଇ-ରୁପି’ରେ କୌଣସି ସେବା ପ୍ରାୟୋଜକ ବିନା ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ କରିଥାଏ | ଇ-ରୁପି ଏକ ପ୍ରିପେଡ଼ ଭଳି କାମ କରୁଥିବାବେଳେ କୌଣସି ମଧ୍ୟସ୍ଥିଙ୍କ ଯୋଗଦାନ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ନିଶ୍ଚିତ କରିବ | କୁହାଯାଉଛି ଯେ କଲ୍ୟାଣକାରୀ ସେବା ଚୋରିକୁ ରୋକିବା ଦିଗରେ ଏହା ଏକ ବୈପ୍ଲବିକ ପଦକ୍ଷେପ ହୋଇପାରେ |

ଏହା ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ପଦ୍ଧତି ଓ ଏହା ସେବା ପ୍ରଦାନକାରୀ ଏବଂ ଲାଭାର୍ଥିଙ୍କୁ ସିଧାସଳଖ ସଂଯୋଗ କରେ | ଏହା ସହିତ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯିବ | ଯାହା ଦୁର୍ନୀତିକୁ ହ୍ରାସ କରିବ। ମାତୃ ଓ ଶିଶୁ କଲ୍ୟାଣ ଯୋଜନା, ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଭଳି ଯୋଜନାରେ ‘ଇ-ରୁପି’କୁ ବ୍ୟବହାର କରାଯାଇପାରିବ |

ସମ୍ବନ୍ଧିତ ଖବର