ଦେଶଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ମାଲେ : ଆର୍ଥିକ ସଙ୍କଟକୁ ନେଇ ପ୍ରବଳ ବିରୋଧ ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡ଼ି ପଳାଇଛନ୍ତି। ନିଜ ଇସ୍ତଫା ଘୋଷଣାର ମାତ୍ର କିଛି ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ବୁଧବାର ଭୋର୍‌ ସମୟରେ ଦେଶ ଛାଡ଼ି ସେନାର ସ୍ବତନ୍ତ୍ର ବିମାନରେ ମାଳଦ୍ବୀପ ପଳାଇଛନ୍ତି। ବିମାନ ରାଜପକ୍ଷ ଓ ତାଙ୍କ ପତ୍ନୀଙ୍କ ସମେତ ୨ ଜଣ ସୁରକ୍ଷା କର୍ମୀଙ୍କୁ ନେଇ ମାଳଦୀପ ରାଜଧାନୀ ମାଲେରେ ପହଞ୍ଚିଛି। ଗୋଟାବାୟାଙ୍କ ବିରୋଧରେ ମାଳଦ୍ବୀପରେ ମଧ୍ୟ ଆନ୍ଦୋଳନ ଆରମ୍ଭ ହୋଇଛି। ମାଳଦ୍ବୀପରେ ଥିବା ଶ୍ରୀଲଙ୍କା ନାଗରିକମାନେ ଦେଶରେ ଗୋଟାବାୟାଙ୍କ ଉପସ୍ଥିତିକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ତେବେ ଗୋଟାବାୟା ଆଜି ରାତିରେ ସେଠାରୁ ସିଙ୍ଗାପୁର କିମ୍ବା ଦୁବାଇ ପଳାଇବାକୁ ଯୋଜନା କରିଥିବା ଜଣାପଡ଼ିଛି।

ରାଷ୍ଟ୍ରପତି ବାୟୁସେନା ବିମାନରେ ଦେଶ ଛାଡ଼ି ପଳାଇଥିବା ଖବର ପ୍ରଚାର ହେବାମାତ୍ରେ ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ଆହୁରି ଉଗ୍ର ହୋଇଛି। ଆନ୍ଦୋଳନକାରୀମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ପୁଲିସ ଏବଂ ‌ସେନା ପକ୍ଷରୁ ଲାଠିମାଡ଼ ସହିତ ଫାଙ୍କା ଗୁଳି ଚାଳନା କରାଯାଇଛି। ଏହାସତ୍ତ୍ବେ ପରିସ୍ଥତି ଅସମ୍ବାଳ ହେଉଥିବାରୁ ଏହାର ମୁକାବିଲା ଲାଗି ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ରାଜଧାନୀ କଲମ୍ବୋ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ଫ୍ୟୁ ଜାରି କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି କାମଚଳା ରାଷ୍ଟ୍ରପତି ସେନା ଏବଂ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ରାଜନୈତିକ ସମାଧାନ ପାଇଁ ସେନା ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

Scroll.in

ରାଜପକ୍ଷ ଦେଶ ଛାଡ଼ି ଚାଲିଯିବା ପରେ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। କିନ୍ତୁ ଆନ୍ଦୋଳନକାରୀମାନେ ଏଥିରେ‌ ସନ୍ତୁଷ୍ଟ ନୁହନ୍ତି। ବିକ୍ରମସିଂଘେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏହା ଉପରେ ବିଚାର ଆଲୋଚନା ଲାଗି ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ତୁରନ୍ତ ଇସ୍ତଫା ଦେବା ସହିତ ବାଚସ୍ପତିଙ୍କୁ କାମଚଳା ର‌ାଷ୍ଟ୍ରପତି କରିବା ଲାଗି ନିଷ୍ପତ୍ତି ହୋଇଛି। ସବୁ ଦଳର ନେତାଙ୍କୁ ନେଇ ଖୁବଶୀଘ୍ର ମିଳିତ ସରକାର ଗଠନ କରାଯିବ।

ମିଳିଥିବା ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସାନଭାଇ ତଥା ଅର୍ଥ ମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଦେଶଛାଡ଼ି ପଳାଇଛନ୍ତି। ତେବେ ସେ କୁଆଡ଼େ ଯାଇଛନ୍ତି, ତାହା ଜଣାପଡ଼ିନାହିଁ। ଇତିମଧ୍ୟରେ ଗୋଟବାୟା ଏବଂ ତାଙ୍କ ପରିବାରକୁ ମାଲେର ଏକ ଗୁପ୍ତ ସ୍ଥାନରେ ରଖାଯାଇଛି। ଆଜି ରାତିରେ ସେ ସିଙ୍ଗାପୁର କିମ୍ବା ଦୁବାଇ ଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କର ପଳାୟନ ପଛରେ ଭାରତର ହାତ ରହିଛି ବୋଲି ବିଭିନ୍ନ ମହଲରେ ହେଉଥିବା ଅଭି‌ଯୋଗକୁ ଭାରତ ଖଣ୍ଡନ କରିଛନ୍ତି। କଲମ୍ବୋରେ ଭାରତର ହାଇକମିସନର କହିଛନ୍ତି ଯେ ଭାରତ ସରକାର ଶ୍ରୀଲଙ୍କା ଜନତାକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।

ଇତିମଧ୍ୟରେ ମାଳଦ୍ବୀପ ଜାତୀୟ ଦଳ (ଏମଏନ୍‌ପି) ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ପ୍ରକାଶ କରିଛି। ପ୍ରବଳ ବିରୋଧ ହେବାପରେ ଗୋଟାବାୟା ଆଜି ରାତିରେ ସିଙ୍ଗାପୁର କିମ୍ବା ଦୁବାଇ ପଳାଇବାକୁ ଯୋଜନା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଳଦ୍ବୀପ ବାଚସ୍ପତି ଏବଂ ପୂର୍ବତନ ରାଷ୍ଟ୍ରପତି ମହମଦ ନସିଦଙ୍କ ସହ କଥାବାର୍ତ୍ତା ପରେ ରାଜପକ୍ଷଙ୍କୁ ମାଳଦ୍ବୀପକୁ ଯିବାର ଅନୁମତି ମିଳିଥିବା ଜଣାପଡ଼ିଛି। ମାଳଦ୍ବୀପ ସରକାର କହିଛନ୍ତି, ଗୋଟାବାୟା ରାଜପକ୍ଷ ଏବେ ବି ଶ୍ରୀଲଙ୍କା ରାଷ୍ଟ୍ରପତି ଅଛନ୍ତି। ସେ ଇସ୍ତଫା ଦେଇନାହାନ୍ତି । ତେଣୁ ଯଦି ସେ ମାଳଦ୍ବୀପ ଆସିବାକୁ ଚାହିଛନ୍ତି ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିହେବନି।

ସମ୍ବନ୍ଧିତ ଖବର