ଓଡ଼ିଶା ସମେତ ୮ ରାଜ୍ୟ ପକ୍ଷରୁ ଇ-ଯାନ ନୀତି ଘୋଷଣା

ନୂଆଦିଲ୍ଲୀ : ଓଡ଼ିଶା ସମେତ ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ବିଜ୍ଞପ୍ତି ମାଧ୍ୟମରେ ଇ-ଯାନ ନୀତି ଘୋଷଣା କରିଛନ୍ତି। ଶୁକ୍ରବାର ନୀତି ଆୟୋଗ, ଆର୍‌ଏମ୍‌ଆଇ ଓ ଆର୍‌ଏମ୍‌ଆଇ ଇଣ୍ଡିଆ ଦ୍ବାରା ପ୍ରକାଶିତ ‘ବ୍ୟାଙ୍କିଂ ଅନ୍‌ ଇଲେକ୍ଟ୍ରିକ୍‌ ଭେହିକଲସ୍‌’ ନାମକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସମେତ ଆର୍‌ବିଆଇ ଓ ଅନ୍ୟ ଅଣ ବ୍ୟାଙ୍କିଂ ଆର୍ଥିକ କଂପାନିଗୁଡ଼ିକ ଇ-ଯାନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ରିପୋର୍ଟରେ କୁହାଯାଇଛି। ଏତଦ୍‌ ବ୍ୟତୀତ ଭାରି ଉଦ୍ୟୋଗ ଓ ଏଥିରେ ସଂପୃକ୍ତ ହିତଧାରକ (ଷ୍ଟେକହୋଲଡର୍‌) ଭାରତରେ ଇ-ଯାନର ପ୍ରୋତ୍ସାହନ ପାଇଁ ପୁଞ୍ଜିନିବେଶ କରିପାରିବେ ବୋଲି ରିପୋର୍ଟରେ କୁହାଯାଇଛି। ଭାରତରେ ବ୍ୟାଙ୍କିଂ ଏବଂ ଅଣ ବ୍ୟାଙ୍କିଂ ଆର୍ଥିକ କଂପାନିଗୁଡ଼ିକ ୨୦୨୫ ସୁଦ୍ଧା ୪୦ ହଜାର କୋଟି ଟଙ୍କା ଏବଂ ୨୦୩୦ ସୁଦ୍ଧା ୩.୭ ଲକ୍ଷ କୋଟି ଟଙ୍କାର ଇ-ଯାନ ଆର୍ଥିକ ବଜାର ସୃଷ୍ଟି କରିବାର କ୍ଷମତା ରହିଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର