ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସ୍ବାଭାବିକ ତାରିଖ ଜୁନ୍ ପହିଲାର ୮ ଦିନ ପୂର୍ବରୁ ମେ ୨୪ରେ ପହଞ୍ଚିଥିଲା। ତେବେ ସଅଳ ମୌସୁମୀ ଯେ ସବୁବେଳେ ଭଲ ଫଳ ଦେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ଅତୀତରେ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ କେରଳ ଉପକୂଳରେ ପହଞ୍ଚିବାର ଅନେକ ଉଦାହରଣ ରହିଛି, କିନ୍ତୁ ସମଗ୍ର ଦେଶରେ ଏହାର ପ୍ରଭାବ ସବୁବେଳେ ଭଲ ହୋଇ ନ ଥିଲା। ଆଗାମୀ ୪ ମାସରେ ବର୍ଷାର ସମୟୋପଯୋଗିତା ଓ ବଣ୍ଟନ ହିଁ ୨୦୨୫-୨୬ରେ କୃଷି ଉତ୍ପାଦନ ଓ ଅର୍ଥନୈତିକ ଅଭିବୃଦ୍ଧିର ଭବିଷ୍ୟତ ଗତିପଥ ନିର୍ଦ୍ଧାରଣ କରିବ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହାର ଏପ୍ରିଲ ପୂର୍ବାନୁମାନରେ କହିଥିଲା ଯେ ୨୦୨୫ରେ ଦୀର୍ଘକାଳୀନ ହାରାହାରି (ଏଲ୍ପିଏ)ର ୧୦୫ ପ୍ରତିଶତ ବର୍ଷା ହେବ ଏବଂ ଏହା ସବୁଆଡ଼େ ସୁଷମ ବଣ୍ଟନ ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ପ୍ରଣାଳୀର ବାରମ୍ବାରତା, ମେଘ ଓ ପବନର ଶକ୍ତି ଭଳି ଅନେକ ସହାୟକ କାରଣ ଉପରେ ନିର୍ଭର କରେ। ବାସ୍ତବରେ ଶେଷ ଥର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨୦୦୯ରେ ଏତେ ଶୀଘ୍ର ପହଞ୍ଚିଥିଲା। କିନ୍ତୁ ଏହା ପ୍ରାୟ ୨୩ ପ୍ରତିଶତ କମ୍ ବୃଷ୍ଟିପାତ ସହିତ ଶେଷ ହୋଇଥିଲା, ଯାହା କି ଅନେକ ଦଶନ୍ଧି ମଧ୍ୟରେ ଭାରତରେ ସର୍ବନିମ୍ନ ହାରାହାରି ବୃଷ୍ଟିପାତ ଥିଲା। ଆଇଏମ୍ଡିର ୨୦୦୯ର ଋତୁ ଶେଷ ରିପୋର୍ଟ ଅନୁଯାୟୀ, ସେହି ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜନିତ ବର୍ଷା ଏଲ୍ପିଏର ୭୭ ପ୍ରତିଶତ ଥିଲା। ସେହି ବର୍ଷ ଦେଶର ପ୍ରାୟ ୬୦ ପ୍ରତିଶତ ଜିଲ୍ଲାରେ ଅଳ୍ପ ବର୍ଷା ହୋଇଥିଲା। ଆଇଏମ୍ଡି କହିଛି ଯେ ୨୦୦୯ରେ ମୌସୁମୀ ତା’ର ସ୍ୱାଭାବିକ ତାରିଖ ଜୁନ୍ ୧ର ଏକ ସପ୍ତାହ ପୂର୍ବରୁ ମେ ୨୩ରେ କେରଳରେ ପ୍ରବେଶ କରିଥିଲା, କିନ୍ତୁ ପରେ ଜୁନ୍ ୮-୨୦ ପର୍ଯ୍ୟନ୍ତ ଦୁର୍ବଳ ରହିଥିଲା। ଏହାପରେ ସ୍ୱାଭାବିକ ତାରିଖ ଜୁଲାଇ ୩ ତୁଳନାରେ ଜୁଲାଇ ୧୫ ତାରିଖ ସୁଦ୍ଧା ଏହା ସମଗ୍ର ଦେଶରେ ବ୍ୟାପିଥିଲା। ତେବେ ୧୬ ବର୍ଷ ପରେ ୨୦୨୫ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସଅଳ ଏକ ସପ୍ତାହ ପୂର୍ବରୁ ଆସିଛି। କିନ୍ତୁ ଏଥର ୨୦୦୯ ପରି ସ୍ଥିତି ନ ହୋଇ ଏଲ୍ପିଏର ୧୦୫ ପ୍ରତିଶତ ବା ‘ସ୍ୱାଭାବିକଠାରୁ ଅଧିକ’ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ଏହାର ପୂର୍ବାନୁମାନରେ ୫ ପ୍ରତିଶତ ତ୍ରୁଟି (କମ୍ ବା ବେଶି) ହୋଇପାରେ। ଆଶା କରାଯାଉଛି ୨୦୦୯ର ପୁନରାବୃତ୍ତି ୨୦୨୫ରେ ହେବ ନାହିଁ।