ଦେଶର କେତେକ ରାଜ୍ୟରେ ୩ୟ ଲହରର ଆଗୁଆ ସଂକେତ ଦେଖାଗଲାଣି : ଆଇସିଏମଆର ବୈଜ୍ଞାନିକ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କରୋନା ମହାମାରୀର ୩ୟ ଲହର ଆସିବାର ଆଗୁଆ ସଂକେତ ଦେଖାଗଲାଣି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର (ଆଇସିଏମଆର)ର ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡଃ ସମିରନ ପଣ୍ଡା କହିଛନ୍ତି ।

ସେ କହିଛନ୍ତି ଯେ ଆମେ ଭାବିବା ଉଚିତ ନୁହେଁ ଯେ ୩ୟ ଲହର ଆସିବାକୁ ଆହୁରି ଦୁଇତିନି ମାସ ଅଛି । କେତେକ ରାଜ୍ୟରେ ୩ୟ ଲହର ଆସିବାର ଆଗୁଆ ଲକ୍ଷଣ ଦେଖାଗଲାଣି । ଆଗକୁ ପାର୍ବଣ ଋତୁ ଥିବାବେଳେ, ଲୋକମାନେ ଯଦି କରୋନା କଟକଣା ପାଳନ  ନ କରନ୍ତି ଓ ବହୁ ସଂଖ୍ୟାରେ ଗହଳି କରନ୍ତି, ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିବ ।

ତେବେ ଡଃ ପଣ୍ଡା କହିଛନ୍ତି ଯେ, ୨ୟ ଲହର ତୁଳନାରେ ୩ୟ ଲହର ସେତେଟା ଗୁରୁତର ହେବ ନାହିଁ । କିନ୍ତୁ ଯେଉଁ ରାଜ୍ୟମାନେ ୨ୟ ଲହରରେ ସେତେଟା ପ୍ରଭାବିତ ହୋଇନଥିଲେ, ସେମାନେ ସତର୍କ ରହିବା ଉଚିତ ଓ ତରବର ହୋଇ କଟକଣା ହଟାଇବା ଉଚିତ ନୁହେଁ ।

ଶିଶୁମାନଙ୍କ ଟିକାକରଣ ଉପରେ ସେ କହିଛନ୍ତି ଯେ ତରବରିଆ ଭାବେ ଶିଶୁମାନଙ୍କ ଟିକାକରଣ କରାଯିବା ଉଚିତ ନୁହେଁ । ପ୍ରଥମ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯିବା ଉଚିତ ।

ସମ୍ବନ୍ଧିତ ଖବର