ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଦେଶ ଭିତରେ ଓ ବାହାରେ ମହଜୁଦ୍‌ ରହିଥିବା କଳାଧନକୁ ଖୋଜି ବାହାର କରିବା ପାଇଁ ଆଜି ଏକ ନୂଆ ଯୋଜନାର ଆରମ୍ଭ କରିଛନ୍ତି। ଆୟକର ସୂଚନାଦାତା ପୁରସ୍କାର ଯୋଜନା ୨୦୧୮ ନାମରେ ନାମିତ ଏହି ଯୋଜନାରେ ଯଦି ସୂଚନାଦାତା କାହାର ଦେଶ ଭିତରେ ମହଜୁଦ ଥିବା କଳାଧନ ବାବଦରେ ଆୟକର ବିଭାଗକୁ ସୂଚନା ଦିଅନ୍ତି, ତେବେ ଆୟକର ବିଭାଗ ସଂପୃକ୍ତ ସୂଚନାଦାତାଙ୍କୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରିବ ବୋଲି ଆଜି ଘୋଷଣା କରିଛି।

Advertisment

publive-image

ଅନ୍ୟପକ୍ଷରେ ଯଦି କୌଣସି ଭାରତୀୟ ଦେଶ ବାହାରେ ଅର୍ଥାତ ବିଦେଶରେ ନିଜର କଳାଧନକୁ ମହଜୁଦ ରଖିଥାଆନ୍ତି ଏବଂ ସେ ସଂପର୍କିିତ ସୂଚନା ଯଦି କୌଣସି ସୂଚନାଦାତା ଆୟକର ବିଭାଗକୁ ଦିଅନ୍ତି, ତେବେ ସେ କ୍ଷେତ୍ରରେ ଆୟକର ବିଭାଗ ସୂଚନାଦାତାଙ୍କୁ ୫ କୋଟିରୁ ଅଧିକ ଏପରିକି ୧୦ କୋଟି ପର୍ଯ୍ୟନ୍ତ ନଗଦ ଅର୍ଥ ସୁଦ୍ଧା ପୁରସ୍କାର ଆକାରରେ ପ୍ରଦାନ କରିବ ବୋଲି ଏହି ଘୋଷଣାନାମାରେ ଉଲ୍ଲେଖ କରିଛି।

publive-image

ଯଦି କୌଣସି ବ୍ୟକ୍ତି ଆୟକର ଫାଙ୍କିବା ଉଦ୍ଦେଶ୍ୟରେ ବେନାମୀ ସଂପତ୍ତି କିଣି ଥାଆନ୍ତି ଅବା ବିଦେଶରେ ଘର ଓ ସଂପତ୍ତି କିଣିବା ସହ ବିଦେଶୀ ବ୍ୟାଙ୍କରେ ନିଜର କଳାଧନକୁ ମହଜୁଦ୍‌ କରି ରଖିଥାଆନ୍ତି, ଏବଂ ସୂଚନାଦାତା ଯଦି ଏସବୁର ସୂଚନା ଆୟକର ବିଭାଗକୁ ଦିଅନ୍ତି, ତେବେ ସେ କ୍ଷେତ୍ରରେ ଆୟକର ବିଭାଗ ସଂପୃକ୍ତ ସୂଚନାଦାତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦେଶ ଭିତରେ ଓ ବାହାରେ ମହଜୁଦ୍‌ ଥିବା ବିପୁଳ ପରିମାଣର କଳାଧନ ପଦାକୁ ଆସିପାରିବ ବୋଲି ଆୟକର ବିଭାଗ ଆଶା ପ୍ରକାଶ କରିଛି।