ନୂଆଦିଲ୍ଲୀ: ବିହାର କ୍ୟାଡରର ଜଣେ ଆଇଏଏସ୍‌ ଅଫିସର ଅବସର ନେବା ପରେ ଏକ ଡଜନରୁ ଅଧିକ କମ୍ପାନିରୁ କୋଟି କୋଟି ଟଙ୍କା କନସଲଟିଂ ଫି’ ପାଇଛନ୍ତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମେତ ଏକାଧିକ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛନ୍ତି ଏହି ବ୍ୟକ୍ତି।

Advertisment

ରିପୋର୍ଟରୁ ପ୍ରକାଶ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ମଙ୍ଗଳବାର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ପୂର୍ବତନ ସଚିବ ରମେଶ ଅଭିଷେକଙ୍କ ନାମରେ ଏତଲା ରୁଜୁ କରିବା ପରେ ତାଙ୍କ ଘର ଉପରେ ଚଢ଼ାଉ କରିଛି। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରେ ଦର୍ଶାଯାଇଛି ଯେ ସେ ଡିପିଆଇଆଇଟିର ସଚିବ ତଥା ଫରୱାର୍ଡ ମାର୍କେଟ କମିଶନର ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ସଂସ୍ଥା ଏବଂ ଅନୁଷ୍ଠାନଠାରୁ ପରାମର୍ଶ ଏବଂ ବୃତ୍ତିଗତ ଫି’ ବାବଦରେ ବିପୁଳ ପରିମାଣର ଟଙ୍କା ଆଦାୟ କରୁଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁଯାୟୀ, ଅଭିଷେକ ଲୋକପାଳଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ଅବସର ପରେ ୧୫ ମାସ ମଧ୍ୟରେ ୨.୭ କୋଟି ଟଙ୍କା ଫି’ ପାଇଛନ୍ତି, ଯାହା ତାଙ୍କ ଶେଷ ସରକାରୀ ଦରମା ଠାରୁ ୧୧୯ ଗୁଣ ଅଧିକ। ତାଙ୍କ ଶେଷ ସରକାରୀ ଦରମା ୨.୨୬ ଲକ୍ଷ ଟଙ୍କା ଥିଲା।

ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗରେ ସଚିବ ଭାବେ ଅବସ୍ଥାପିତ ଥିବା ବେଳେ ସେ ଅତି କମ୍‌ରେ ୧୬ଟି କମ୍ପାନିକୁ ଫାଇଦା ଦେଇଥିଲେ ବୋଲି ବିଭିନ୍ନ ଏଜେନ୍‌ସି ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଆଗତ ଏତଲାରେ ଆହୁରି ମଧ୍ୟ କୁହାଯାଇଛି ଯେ ଦିଲ୍ଲୀର ଗ୍ରେଟର କୈଳାସ ଅଞ୍ଚଳରେ ଥିବା ଏକ ଘର ଅସ୍ଥାବର ସମ୍ପତ୍ତିରେ ପରିବାରର ପୂର୍ବ ନିବେଶରେ ହଠାତ୍‌ ସନ୍ଦେହଜନକ ବୃଦ୍ଧିର ଘଟିଥିଲା।

ରମେଶ ଅଭିଷେକ ୨୦୧୯ ଫେବ୍ରୁଆରି ୨୨ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଡିପିଆଇଆଇଟି ସଚିବ ଭାବେ ଅବସ୍ଥାପିତ ଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୨୧ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ଫରୱାର୍ଡ ମାର୍କେଟ କମିଶନର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା।

୨୦୧୯ରେ ସେ ଡିପିଆଇଆଇଟି (ତତ୍କାଳୀନ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ) ଏବଂ ଘରୋଇ କମ୍ପାନିରୁ ବିଭିନ୍ନ ପଦବୀରେ ରହି କରର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ।

ଶ୍ରୀ ଅଭିଷେକ ପେଟିଏମ୍‌ର ତିନି ଜଣ ସ୍ୱାଧୀନ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ ରହିଛନ୍ତି। ଯାହା ବର୍ତ୍ତମାନ ଆରବିଆଇ ଦ୍ୱାରା ଯାଞ୍ଚର ସମ୍ମୁଖୀନ ହେଉଛି।