ଥରିଲା ଉତ୍ତର ଭାରତ

ଭୂକମ୍ପର ତୀବ୍ରତା ୬.୨

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ ସମେତ ସମଗ୍ର ଉତ୍ତର ଭାରତରେ ଆଜି ଭୂକମ୍ପର ଝଟ୍‌୍‌କା ଅନୁଭୂତ ହୋଇଛି। ଆଜି ଅପରାହ୍ନ ୪ଟା ୧୬ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଲୋକେ ଘର, ଦପ୍ତର ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ର କାବୁଲଠାରୁ ୧୮୨ କିମି ଦୂର ତାଜିକିସ୍ତାନ ସୀମାରେ ରହିଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୨ ମପା ଯାଇଥିଲା। ଆଫଗାନିସ୍ତାନରେ ଭୂକମ୍ପର ସର୍ବାଧିକ ପ୍ରଭାବ ଥିବା ବେଳେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସମଗ୍ର ପାକିସ୍ତାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଆଜି ଭୂକମ୍ପର ପ୍ରଭାବ ଦିଲ୍ଲୀ ଏନ୍‌ସିଆର୍‌ ସମେତ ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ଅନୁଭୂତ ହୋଇଛି। ତେବେ ଭୂକମ୍ପରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଅନ୍ୟପକ୍ଷରେ ଉତ୍ତର ଭାରତରେ ଦେଖାଦେଇଥିବା ଅସ୍ୱାଭାବିକ ପାଣିପାଗର ପ୍ରଭାବ ଏବେ ପୂର୍ବଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ସୁତ୍ରରୁ ଏକ ସତର୍କ ସୂଚନା ଜାରି କରାଯାଇ କୁହାଯାଇଛି ଯେ ଆଜି ଉତ୍ତରାଖଣ୍ଡ ଏବଂ ପୂର୍ବ ଭାରତର କିଛି ଅଂଶରେ ଝଡ଼ତୋଫାନ ସହ କୁଆ ପଥର ବର୍ଷା ହୋଇଛି। ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ଘୂର୍ଣ୍ଣିଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ପଶ୍ଚିମବଙ୍ଗ ସମେତ ୬ଟି ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ ବର୍ଷା ଓ ତୋଫାନ ସମ୍ଭାବନା ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ସମୁଦାୟ ୧୨ଟି ରାଜ୍ୟରେ ଝଡ଼ତୋଫାନ ସମ୍ଭାବନା ନେଇ ସତର୍କତା ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର