ଇଣ୍ଡୋନେସିଆ ଭୂକମ୍ପ, ୫ ହଜାର ନିଖୋଜ

ମୃତ୍ୟୁସଂଖ୍ୟା ୧୭୬୩ ଛୁଇଁଲା

ଜାକର୍ତା: ଇଣ୍ଡୋନେସିଆରେ ୨୮ ସେପ୍‌୍‌ଟେମ୍ବର ଭୂକମ୍ପ ପରେ ଆସିଥିବା ଭୟଙ୍କର ସୁନାମି ଯୋଗୁ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା ୧୭୬୩ରେ ପହଞ୍ଚିଛି। ଏହା ସହିତ ୫ ହଜାରରୁ ଅଧିକ ଲୋକ ନିଖୋଜ ଥିବା ଆଜି ସରକାରୀ ଭାବେ ଘୋଷଣା କରାଯାଇଛି। ଏକ ବେସରକାରୀ ଆକଳନରୁ ଜଣାପଡ଼ିଛି ଯେ ଭୂକମ୍ପ ଓ ସୁନାମି ଯୋଗୁଁ ପ୍ରାୟ ୬ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ତଟବର୍ତ୍ତୀ ଅଂଚଳର ଅନେକ ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି। ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ଅତିମାତ୍ରାରେ ପ୍ରଭାବିତ ହୋଇଛି ଏବଂ ସେଠାରେ ଲକ୍ଷାଧିକ ଲୋକ ଏବେ ଅସ୍ଥାୟୀ ଶିବିରରେ ରହିଛନ୍ତି। ସବୁକିଛି ଛାରଖାର ହୋଇଯାଇଥିବାରୁ ପୁନଃ ନିର୍ମାଣ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଉଦ୍ଧାର ଓ ତଲାସୀ କାର୍ଯ୍ୟ ଆସନ୍ତା ୧୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି କୁହାଯାଇଛି। ଯେଉଁ ପୀଡ଼ିତମାନଙ୍କ ପତ୍ତା ମିଳୁନାହିଁ ସେମାନଙ୍କୁ ନିଖୋଜ ଘୋଷଣା କରାଯାଇଛି। ଭାରତ, ଆମେରିକା, ଇଂଲଣ୍ଡ ସମେତ ବିଭିନ୍ନ ରାଷ୍ଟ୍ରରୁ ରିଲିଫ୍‌ ସାମଗ୍ରୀ ପହଞ୍ଚିଛି। ଲକ୍ଷାଧିକ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ଏକ ବଡ଼ ଚ୍ୟାଲେଂଜ ହୋଇଛି। ପୂର୍ବରୁ ଇଣ୍ଡୋନେସିଆ ସରକାର ବାହାର ରାଷ୍ଟ୍ରରୁ କୌଣସି ରିଲିଫ୍‌୍‌ ଗ୍ରହଣ କରୁନଥିବାରୁ ଏଥର ପରିସ୍ଥିତିକୁ ଦେଖି ରିଲିଫ୍‌୍‌ ଗ୍ରହଣ କରିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଗୃହ ନିର୍ମାଣରେ ସହାୟତା ନିମନ୍ତେ ମଧ୍ୟ ବିଭିନ୍ନ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର