ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜଣେ କରୋନାଭାଇରସ୍ ରୋଗୀଙ୍କୁ ଯେଉଁଭଳି ଭାବରେ ମଶାଣିକୁ ନେବା ପାଇଁ ଜେସିବି ମେସିନର ବ୍ୟବହାର କରାଯାଇଥିଲା, ତାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି | ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦେଶ ଦିଆଯାଇଛି । ମୃତ ବୃଦ୍ଧଜଣଙ୍କ ଜଣେ ପୂର୍ବତନ ପୌରପାଳିକା କର୍ମଚାରୀ ଓ ସେ ସହ ଘର ଘର ବୁଲି ସ୍ୱାସ୍ଥ୍ୟ ସର୍ବେକ୍ଷଣ ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ | ଏହା ପରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ପଲାସା ସହରରେ ଥିବା ତାଙ୍କ ଘରେ ସେ ମୃତ୍ୟୁବରଣ କରିଥିଲେ | ଶବ ସତ୍କାର ପାଇଁ ସଂକ୍ରମଣ ଭୟରେ ଜେସିବି ମେସିନ ଦ୍ୱାରା ତାଙ୍କ ମୃତ ଦେହକୁ ମଶାଣିକୁ ନେଇଥିଲେ ପୌରପାଳିକା କର୍ମଚାରୀ |
ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ମୃତଶରୀରକୁ ତାଙ୍କ ଘରୁ ଶବଦାହ ପାଇଁ ଜେସିବି ମେସିନରେ ନିଆଯାଉଛି | ଏହି ସମୟରେ ପୌରପାଳିକା ଅଧିକାରୀମାନେ ପିପିଇ କିଟ୍ ପିନ୍ଧିଛନ୍ତି। ବୃଦ୍ଧଙ୍କ ମର ଶରୀରକୁ ଜେସିବି ମେସିନର ଆଗରେ ବାନ୍ଧି ରଖାଯାଇଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଇଛି | ବୃଦ୍ଧଙ୍କ ନାତୁଣୀଙ୍କ କହିବା ମୁତାବକ, ଜେଜେଙ୍କ ମୃତ୍ୟୁ ହେବା ପରେ ପଡୋଶୀମାନେ ମୃତଦେହକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ କହିଥିଲେ, ଯେଉଁଥି ପାଇଁ ମୁଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଡ଼କାଇଥିଲି |
ତେବେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ଏହି ଘଟଣାକୁ ନିନ୍ଦା କରିବା ସହ ଦାୟୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହା ଅମାନବୀୟ ଏବଂ ଏଭଳି ମାମଲାଗୁଡ଼ିକର ମୁକାବିଲା ପାଇଁ ପ୍ରୋଟୋକଲ୍ ସ୍ପଷ୍ଟ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆନ୍ଧ୍ରପ୍ରଦେଶ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀକାକୁଲମ୍ ଜିଲ୍ଲାପାଳ ଜେ ନିବାସ୍ ପଲାସା ମ୍ୟୁନିସିପାଲିଟି କମିଶନର ନାଗେନ୍ଦ୍ର କୁମାର ଏବଂ ସାନିଟାରୀ ଇନ୍ସପେକ୍ଟର ଏନ ରାଜୀବଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।