ଭୂମିକମ୍ପ ନା ଆଣବିକ ପରୀକ୍ଷଣ ? ଇରାନର ପରମାଣୁ କେନ୍ଦ୍ର ନିକଟରେ ୫.୧ ତୀବ୍ରତାର କମ୍ପନ

ଓ୍ଵାସିଂଟନ : ଦକ୍ଷିଣ ଇରାନରେ ଥିବା ବୁସେହେରଠାରେ ଶୁକ୍ରବାରଦିନ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିଲା ବୋଲି ଆମେରିକାର ଭୂତାତ୍ତ୍ୱିକ ସଂସ୍ଥା ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।

ଏହି ଭୂମିକମ୍ପଟି ସେତେଟା ଶକ୍ତିଶାଳୀ ନଥିଲେ ମଧ୍ୟ ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି । ଏହାର କାରଣ ହେଉଛି ଭୂମିକମ୍ପଟି ଇରାନର ଏକ ପରମାଣୁ କେନ୍ଦ୍ରଠାରୁ ମାତ୍ର ୩୦ ମାଇଲ ଦୂରରେ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ପରମାଣୁ କେନ୍ଦ୍ର ଉପରେ ପଡ଼ିଥିବା ଅନୁମାନ କରାଯାଉଛି । ତେବେ ସବୁଠାରୁ ରହସ୍ୟଜନକ କଥା ହେଉଛି ଇରାନ ପକ୍ଷରୁ ଏ ପର୍ଯ୍ୟନ୍ତ ଏ ସଂପର୍କରେ ସରକାରୀଭାବେ କୌଣସି ସୂଚନା ଦିଆଯାଇନାହିଁ । ଇରାନର ଗଣମାଧ୍ୟମରେ ମଧ୍ୟ ଏ ନେଇ କୌଣସି ଖବର ପ୍ରକାଶିତ ହୋଇପାରିନାହିଁ । ଏହାକୁ ନେଇ କେତେକ ସାମରିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ଯେ ଇରାନ ବୋଧହୁଏ ଏକ ପରମାଣୁ ପରୀକ୍ଷଣ କରିଥାଇପାରେ ।

ଗତ ସପ୍ତାହରେ ଇରାନର ରାଷ୍ଟ୍ରପତି ହାସନ ରୋହାନୀ କହିଥିଲେ ଯେ ତାଙ୍କ ଦେଶ ଏକ ଅତ୍ୟାଧୁନିକ ୟୁରାନିୟମ ଏନରିଚମେଣ୍ଟ ସେଣ୍ଟ୍ରିଫ୍ୟୁୁଗର ପରୀକ୍ଷଣ କରୁଛି । ଏହା ଦ୍ୱାରା ଇରାନ ପରମାଣୁ ଚୁକ୍ତିର ଉଲ୍ଲଙ୍ଘନ କରିଛି ବୋଲି ଆଶଙ୍କା କରାଯାଉଛି । କ୍ୱାଲାଲୁମ୍ପୁରଠାରେ ସେ କହିଥିଲେ ଯେ ଏହା ଦ୍ୱାରା ଇରାନ ସହଜରେ ୟୁରାନିୟମରୁ ଶକ୍ତି ଉତ୍ପାଦନ କରିପାରିବ । ତେବେ ଇରାନ ପରମାଣୁ ବୋମା ତିଆରି କରୁଥିବା ଖବରକୁ ସେ ଖଣ୍ଡନ କରିଥିଲେ ।

ସମ୍ବନ୍ଧିତ ଖବର