ଇସଲାମାବାଦ: ପାକିସ୍ତାନ ଓ ଆଫଗାନିସ୍ତାନରେ ଗତରାତିରେ ଆସିଥିବା ୬.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅତିକମ୍ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନ ସୀମା ସଂଲଗ୍ନ ଆଫଗାନିସ୍ତାନର ଉତ୍ତର- ପୂର୍ବ ପାର୍ବତ୍ୟାଞ୍ଚଳ ନିକଟରେ ମଙ୍ଗଳବାର ରାତିରେ ଭୂକମ୍ପ ହୋଇଥିଲା। ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ସମଗ୍ର ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।
ପାକିସ୍ତାନର ଖାଇବର ପଖତୁନ୍ଖ୍ବାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଫଗାନିସ୍ତାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ଭୂକମ୍ପ ପ୍ରଭାବରେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରାୟ ୨ ହଜାର ଘରେ ଫାଟ ଦେଖିବାକୁ ମିଳିଛି । ଭୂକମ୍ପ ଯୋଗୁଁ ପ୍ରଭାବିତ ହୋଇଥିବା ଆଫଗାନିସ୍ତାନର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଯାଇଛି । ଇସଲାମାବାଦରେ ଏକ ବହୁ ମହଲା ବିଶିଷ୍ଟ କୋଠାରେ ଫାଟ ଦେଖାଦେବାପରେ ଏହି କୋଠାରୁ ଲୋକଙ୍କୁ ଖାଲି କରାଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସ୍ବାଟ୍ ଅଞ୍ଚଳରେ ଯୋଗାଯୋଗ ଠପ୍ ହୋଇଯାଇଛି ଏବଂ ଲୋକଙ୍କ ପାଖରେ ଜରୁରୀ ସହାୟତା ପହଞ୍ଚି ପାରୁନାହିଁ।