ନୂଆଦିଲ୍ଲୀ: ଭୂକମ୍ପ... ଭୂକମ୍ପ... ଭୂକମ୍ପ... ଗତ ମାସେ ଧରି ଏହି ଭୂକମ୍ପ ନାଁ ଶୁଣି ଶୁଣି ମନରେ ଭୟ ଆସିଗଲାଣି । ସକାଳ ହେବା କ୍ଷଣି ଖବର କାଗଜରେ ଭୂକମ୍ପର ଖବର ବାହାରିଥିବ କିମ୍ବା ଟିଭିରେ ଭୂକମ୍ପକୁ ନେଇ ବ୍ରେକିଂ ଚାଲିଥିବ । ଯଦିଓ ଭାରତରେ ଭୂକମ୍ପର ଏତେ ବଡ ପ୍ରଭାବ ଏଯାଏଁ ପଡିନି ମାତ୍ର ବିଶ୍ବର ବିଭିନ୍ନ ଦେଶକୁ ଭୂକମ୍ପ ଦୋହଲାଇ ଦେଇସାରିଲାଣି । ଯେଉଁ ଖବର ଦେଖି ମନରେ ଭୂକମ୍ପକୁ ନେଇ ଭୟ ବି ଏକପ୍ରକାର ଜାଗ୍ରତ ହେଲାଣି । ଭୂକମ୍ପ ତ ଉକ୍ତ ଦେଶକୁ ଛାରଖାର କରିଦେଉଛି ତାସହ ଅନ୍ୟ ଦେଶକୁ ବି ସଜାଗ କରି ଦେଉଛି । କେତେବେଳେ କେଉଁଠି, କେଉଁ ମୁହୂର୍ତ୍ତରେ ଭୂମିକମ୍ପ ହେବ କହିହେବନି ।

Advertisment

ତେବେ ଆଜି ଭୂମିକମ୍ପରେ ଥରିଛି ଆଫଗାନିସ୍ତାନ । ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।

ସେହିପରି ଗତକାଲି ମଧ୍ୟ ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ଆମେରିକା । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର  ଝଟକା ଲାଗିଥିଲା । ଭୂକମ୍ପ ପାଇଁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ମିଳିଥିଲା  । ଦକ୍ଷିଣ କାଲିଫର୍ଣ୍ଣିଆର ଏକ ଛୋଟ କୃଷି ସମ୍ପ୍ରଦାୟ ଜୁଲିଆନ ନିକଟରେ ସକାଳ ୧୦ଟା ୮ ସମୟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।

ଗତକାଲି ଖାଲି ଆମେରିକାରେ ନୁହେଁ ନେପାଳ ବି ଭୂକମ୍ପରେ ଥରିଥିଲା । ୪.୦ ତୀବ୍ରତାର ଭୂକମ୍ପର ଝଟକା ନେପାଳବାସୀ ଅନୁଭବ କରିଥିଲେ । ତିବ୍ବତରେ ବି ଗତକାଲି ୩.୫ ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଲାଗିଥିଲା । ତେବେ ସମସ୍ତ ସ୍ଥାନରୁ ଏଯାଏଁ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ । 

ତେବେ ଗତ ୧୪ ତାରିଖ ଦିନ ମଧ୍ୟ ପୁଣିଥରେ ଭୂକମ୍ପରେ ଥରିଥିଲା ମ୍ୟାମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା  ୪.୫ ଥିବା ବେଳେ ଭୂକମ୍ପ ପୁଣି ଥରେ ମ୍ୟାମାରବାସୀଙ୍କ ମନରେ ଛନକା ଭରିଥିଲା । ଗତମାସ ମ୍ୟାମାରରେ ଭୟଙ୍କର ଭୂକମ୍ପ ଫଳରେ ୧୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଭୂକମ୍ପରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଶତାଧିକ ନିଖୋଜ ହୋଇଥିଲେ । ମ୍ୟାମାର ସଙ୍କଟ ସମୟରେ ସହାୟତାର ହାତ ବଢାଇଥିଲା ଭାରତ । ଅପରେସନ ବ୍ରହ୍ମା ଜରିଆରେ ଏନଡିଆରଏଫ ଟିମ୍ ଏବଂ ଯବାନମାନେ ମ୍ୟାମାରରେ ସମସ୍ତ ପ୍ରକାଶ ସହାୟତା ଯୋଗାଇଦେଇଥିଲେ ।

ବାରମ୍ବାର ଭୂକମ୍ପ... ବିଶ୍ବର ବିଭିନ୍ନ ଦେଶରେ ଭୂମିକମ୍ପ ଅନୁଭୂତ ହେବା ଏବଂ ଝଟକା ଲାଗିବା ମାନବ ସମାଜ ପାଇଁ ପ୍ରକୃତିର କରାଳ ସଙ୍କେତ ଥିବାବେଳେ ପ୍ରକୃତିକୁ ନଷ୍ଟ କରିବାର କୁପରିଣାମ ବୋଲି ଅନେକ ମତ ଦେଉଛନ୍ତି ।