ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ୫ ମୃତ

କାବୁଲ : ଦୁର୍ଭାଗ୍ୟ ଆଫଗାନିସ୍ତାନର ପିଛା ଛାଡ଼ୁନାହିଁ ।  ତିନିଦିନ ତଳେ ପ୍ରଳୟଙ୍କରୀ ଭୂମିକମ୍ପର ସମ୍ମୁଖୀନ ହୋଇଥିବା ଏହି ଯୁଦ୍ଧ ବିଧ୍ବସ୍ତ ଦେଶ ଶୁକ୍ରବାରଦିନ ପୁଣି ଥରେ ଭୂମିକମ୍ପର ସମ୍ମୁଖୀନ ହୋଇଛି ।

ଆଫଗାନିସ୍ତାନ ଟେଲିଭିଜନ ଚ୍ୟାନେଲ ଟୋଲୋ ନ୍ୟୁଜର ସୂଚନା ଅନୁସାରେ  ପୂର୍ବ ଆଫଗାନିସ୍ତାନର ପାକତିକା ରାଜ୍ୟର ଗିଆନ ଜିଲ୍ଲାରେ ଶୁକ୍ରବାର ସକାଳେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ଅତିକମରେ ୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୧୧ ଜଣ ଆହତ ହୋଇଛନ୍ତି ଯେ ପାକତିକା ଗଭର୍ଣ୍ଣରଙ୍କ ମୁଖପାତ୍ର ସନାଉଲ୍ଲା ମାସୁମ କହିଛନ୍ତି ।

ଗତ ବୁଧବାଦିନ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ୬ ତୀବ୍ରତାର ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାୟ ୧୧୫୦ ଲୋକ ମୃତ୍ୟୁବରଣ କରିଥିବାବେଳେ ଶହ ଶହ ଲୋକ ଆହତ ହୋଇଥିଲେ । ଏହି ଭୂମିକମ୍ପ ଫଳରେ ଆଫଗାନିସ୍ତାନରେ ଦେଖାଯାଇଥିବା ମାନବୀୟ ସଂକଟ ଆହୁରି ଗୁରୁତର ହୋଇଛି ।

ବର୍ଷ ବର୍ଷ ଧରି ଯୁଦ୍ଧର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ପୁଣି ଶାସନକୁ ଆସିବା ପରେ ଅବସ୍ଥା ଆହୁରି ଚିନ୍ତାଜନକ ହୋଇଯାଇଛି । ଏ ପରିସ୍ଥିତିରେ ଏହି ଭୂମିକମ୍ପ ଦେଶର ସ୍ଥିତିକୁ ଦୋହଲାଇ ଦେଇଛି ।

ଆଫଗାନିସ୍ତାନର ଭୂମିକମ୍ପ ପ୍ରପୀଡ଼ିତ ଲୋକମାନଙ୍କ ସହାୟତା ପାଇଁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ସହାୟତା ପ୍ରେରଣ କରିଛନ୍ତି । ଭାରତ ପକ୍ଷରୁ ଖାଦ୍ୟ, ଔଷଧ ସହ ଏକ ଉଦ୍ଧାରକାରୀ ଦଳ ପଠାଯାଇଛି ।

 

ସମ୍ବନ୍ଧିତ ଖବର