ଲଣ୍ଡନ : ୟୁରୋପୀୟ ଦେଶ ଆଲବାନିଆରେ ଆଜି ହୋଇଥିବା ଏକ ଶକ୍ତିଶାଳୀ ଭୂମିକମ୍ପ ଫଳରେ ଅତିକମରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ହସ୍ତଗତ ହୋଇଛି । ଆଲବାନିଆର ଏକ ପ୍ରମୁଖ ଖବରକାଗଜ ଆଲବାନିଆ ଡେଲି ନ୍ୟୁଜର ରିପୋର୍ଟ ଅନୁସାରେ ଏହି ଭୂମିକମ୍ପ ଆଲବାନିଆର ସ୍ଥାନୀୟ ସମୟ ୩ଟା ୫୪ ମିନିଟରେ ହୋଇଥିଲା ।
ରିଚର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ଓ ଏହାର କେନ୍ଦ୍ର ରାଜଧାନୀ ଟିରାନାଠାରୁ ୩୨ କିମି ଦୂର ଡୁରେସ ସହର ଥିଲା ବୋଲି ଏହି ସମ୍ବାଦପତ୍ର କହିଛି । ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁରହିଛନ୍ତି । ଏହି ଘଟଣାରେ ପ୍ରାୟ ୨ ଶହରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଡୁରେସ ସହର ବିଶେଷ କ୍ଷତିଗ୍ରସ୍ତ ହୋଇଛି । ସହରର ଅନେକ ଘରଦ୍ୱାର ଓ ଭିତ୍ତିଭୂମି ଭାଙ୍ଗିଯାଇଛି । ଆଲବାନିଆର ପ୍ରଧାନମନ୍ତ୍ରୀ ଏଡିରାମା ଘଟଣାର ସମୀକ୍ଷା କରିବା ସହ ଜରୁରୀକାଳୀନ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଭୂମିକମ୍ପ ଯୋଗୁଁ ସୁନାମୀ ଆସିବାର କୌଣସି ସମ୍ଭାବନା ନାହିଁ ବୋଲି ୟୁଏସ ଜୁଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ।