ରାଜସ୍ଥାନର ଅଲୱାରରେ ୪.୭ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଉତ୍ତରଭାରତରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନର ଅଲୱାରରେ ଆଜି ସଂଧ୍ୟାରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଭାରତୀୟ ଜାତୀୟ ଭୂତତ୍ତ୍ବ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଭୂମିକମ୍ପର ଝଟକା ଦିଲ୍ଲୀ,ହରିୟାଣା ଓ ନୋଇଡା ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ସଂଧ୍ୟା ୭ଟାବେଳେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୩୫ କିଲୋମିଟର ଥିଲା ।  ଭୂମିକମ୍ପ ‌ପରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ ହାନୀ ହୋଇଥିବାର ଖବର ହସ୍ତଗତ ହୋଇନାହିଁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ କରି ଲେଖିଛନ୍ତି ଯେ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଆଶାକରୁଛି ସମସ୍ତେ ନିରାପଦ ଅଛନ୍ତି ।

ଦିଲ୍ଲୀ ସମେତ ଉତ୍ତର-ଭାରତରେ ବାରମ୍ବାର ଭୂମିକମ୍ପ ହେଉଥିବାରୁ ତାହା ଭୂତତ୍ତ୍ବବିତଙ୍କ ଚିନ୍ତା ବଢାଇଦେଇଛି । ଗତ ଦୁଇମାସ ମଧ୍ୟରେ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ପ୍ରାୟ ୧୮ଟି ଭୂମିକମ୍ପ ହେଲାଣି । ବିଶେଷଜ୍ଞମାନଙ୍କ ମତରେ ଉତ୍ତରଭାରତ ଦେଇ ଯାଇଥିବା ୟୁରେସିଆନ ପ୍ଲେଟ ଓ ଇଣ୍ଡିଆନ ପ୍ଲେଟ ମଧ୍ୟରେ ସଂଘାତ ଯୋଗୁଁ ବାରମ୍ବାର ଭୂମିକମ୍ପ ହେଉଛି । ଦଲ୍ଲୀ ଏକ ଫଲ୍ଟ ଲାଇନ ଉପରେ ରହୁଥିବାରୁ ବିପଦର ଆଶଙ୍କା ରହୁଛି । ଏଣୁ ଏହାକୁ ନିଜରରେ ରଖି ଦିଲ୍ଲୀରେ ଭୂକମ୍ପ ନିରୋଧୀ ଅଟ୍ଟାଳିକା ନିର୍ମାଣ ହେବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର