ଚୀନ : ଲୋକେ ଲକଡାଉନରେ ଥିବାବେଳେ ଆସିଲା ଭୂମିକମ୍ପ

ବେଜିଂ : ଦକ୍ଷିଣ-ପଶ୍ଚିମ ଚୀନରେ ସୋମବାରଦିନ ହୋଇଥିବା ଏକ ଭୂମିକମ୍ପ ଯୋଗୁଁ ଅତି କମରେ ୪୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା ।

ଚୀନ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିଚୁଆନ ପ୍ରଦେଶର କାଂଗିଙ୍ଗ ସହରଠାରୁ ୪୩ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା ।

ଏହି ଭୂମିକମ୍ପର ପ୍ରଭାବ ସିଚୁଆନ ପ୍ରଦେଶର ରାଜଧାନୀ ଚେଙ୍ଗଡୁରେ ବି ଅନୁଭୂତ ହୋଇଥିଲା । କରୋନା ସଂକ୍ରମଣ ଯୋଗୁଁ ଏହି ସହରର ଲକ୍ଷ ଲକ୍ଷ ଲୋକଙ୍କୁ କଠୋର ଲକଡାଉନରେ ରଖାଯାଇଛି । ଏପରିକି ଲୋକମାନଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଭୂମିକମ୍ପ ଆସିବା ପରେ ଲୋକମାନେ ନିଜ ନିଜ ଅଗଣାକୁ ଚାଲିଆସିଥିଲେ । ଏହି ଭୂମିକମ୍ପ ପ୍ରଭାବରେ ଚେଙ୍ଗଡୁର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ଲକଡାଉନରେ ଥିବା ଲୋକମାନଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି ।

ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଭୂମିକମ୍ପପରେ କେତେକ ଛୋଟ ତୀବ୍ରତାର ଭୂମିକମ୍ପ ମଧ୍ୟ ଆସିଥିଲା । ପୂର୍ବ ତିବ୍ବତରେ ଏକ ୪.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏସବୁ କମ ତୀବ୍ରତାର ଭୂମିକମ୍ପରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ ।

 

 

ସମ୍ବନ୍ଧିତ ଖବର