ଇଣ୍ଡୋନେସିଆରେ  ୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଜାକାର୍ତ୍ତା (ଇଣ୍ଡୋନେସିଅ।) : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରୁ ଭୂମିକମ୍ପ ବିପଦ ଛାଡୁନାହିଁ । ଗତ ଡିସେମ୍ବରର ପ୍ରଳୟଙ୍କରୀ ଭୂମିକମ୍ପ ଓ ତାପରେ ଆସିଥିବା ସୁନାମୀ ର ପ୍ରଭାବରୁ ଏହି ଦେଶ ମୁକୁଳିନଥିବାବେଳେ ଆଜି ଆଉ ଏକ ଭୂମିକମ୍ପ ହୋଇଛି । ରିଚର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି ଜଣାଯାଇଛି । ଆଜି ସ୍ଥାନୀୟ ସମୟ ୪ଟା ୨୭ ମିନିଟରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର  ପଶ୍ଚିମ ଇଣ୍ଡୋନେସିଆର ମୁଆରା ସିବରୁଟ ଠାରୁ ୧୬୬ କିଲୋମିଟର  ଦକ୍ଷିଣ-ପଶ୍ଚିମରେ  ଥିଲା । ପ୍ରାୟ ୧୦ କିଲୋମିଟର ଗଭୀରତାରେ  ଏହା ହୋଇଥିଲା । ତେବେ ଏହାର ପ୍ରଭାବରେ ସୁନାମୀ ଆସିବା ନେଇ କୌଣସି ସତର୍କତା ଜାରି କରାଯାଇନାହିଁ ।

ଗତ ଡିସେମ୍ବର ୩ୟ ସପ୍ତାହରେ ଇଣ୍ଡୋନେସିଅ ହୋଇଥିବା ଆଗ୍ନେୟ ଉଦଗୀରଣ ଓ ତା ପରେ ଆସିଥିବା ସୁନାମୀ ଫଳରେ ୪୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ  । ଏହା ସହିତ ୮୪୩ ଜଣ ଆହତ ହୋଇଥିଲେ । କେବଳ ଗତ ୨୦୧୮ରେ ଏହି ଦେଶର ପ୍ରାୟ ୧୧,୫୫୭ ଟି ଭୂମିକମ୍ପ ହୋଇଥିଲା ଓ ଏହା ମଧ୍ୟରୁ ୨୯୭ଟିର ତୀବ୍ରତା ରିଚର ସ୍କେଲରେ ୫ ବା ତାଠାରୁ ଅଧିକ ଥିଲା ।

ସମ୍ବନ୍ଧିତ ଖବର