ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୧୬୨କୁ ବୃଦ୍ଧି  

ଜାକାର୍ତ୍ତା : ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ସୋମବାରଦିନ ଆସିଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି ଓ ଆହତଙ୍କ ସଂଖ୍ୟା ୭୦୦ ଟପିଯାଇଛି ବୋଲି ପଶ୍ଚିମ ଜାଭାର ଗଭର୍ଣ୍ଣର ରିଡଓ୍ବାନ କାମିଲ କହିଛନ୍ତି ।

ସୋମବାର ଆସିଥିବା ଭୂମିକମ୍ପର ତୀବ୍ରତା ୫.୭ ଥିଲା । ଗତ ୪ ଦିନ ମଧ୍ୟରେ ଏହା ହେଉଛି ୨ୟ ଭୂମିକମ୍ପ । କିନ୍ତୁ ଶୁକ୍ରବାର ସୁମାତ୍ରାରେ ଆସିଥିବା ଭୂମିକମ୍ପ ତୁଳନାରେ ଆଜି (ସୋମବାର) ଆସିଥିବା ଭୂମିକମ୍ପର ତୀବ୍ରତା କମ ଥିଲେ ବି ମୃତାହତଙ୍କ ଦୃଷ୍ଟିକୋଣରୁ ଏହା ଅତି ଭୟଙ୍କର ବୋଲି କୁହାଯାଉଛି ।

ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମ ଜାଭାର ସିଆନଜୁର ଅଂଚଳ ।

ସିଆନଜୁର ସହର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଭୂମିକମ୍ପ ଯୋଗୁଁ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ସିଆନଜୁରେ ଏକ ଭୂସ୍ଖଳନ ବି ହୋଇଛି । କେବଳ ସିଆନଜୁର ସହର ନୁହେଁ, ଚାରିପାଖରେ ଥିବା ଗ୍ରାମାଞ୍ଚଳରେ ବି ଅନେକ ଲୋକ ମୃତାହତ ହୋଇଛନ୍ତି ।

ଇଣ୍ଡୋନେସିଆରେ ନିୟମିତ ଭାବେ ଭୂମିକମ୍ପ ଆସିଥାଏ । ଏହି ଦ୍ବୀପଦେଶ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାର ନାମକ ଆଗ୍ନେୟଗିରି ପ୍ରବଣ ଜୋନରେ ରହୁଥିବାରୁ ଏଠାରେ ନିୟମିତ ଭୂମିକମ୍ପ ଆସିଥାଏ ।

 

 

 

ସମ୍ବନ୍ଧିତ ଖବର